ଏମ୍ଏସ୍ପି ଓ ଏକ୍ସନ ଇସ୍ପାତ ପ୍ଲାଣ୍ଟ ପୁନଃକାର୍ଯ୍ୟକ୍ଷମ ଦାବିରେ ଗଣଧାରାଣ

୫ ବର୍ଷ ହେଲାଣି ବନ୍ଦ ପଡିଛି କାରଖାନା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବୁଡିପଦସ୍ଥିତ ଏମଏସପି ଓ ଏକ୍ସନ ଇସ୍ପାତ କାରଖାନକୁ ପୁନଃ କାର୍ଯ୍ୟକ୍ଷମ କରିବା ଦାବିରେ ଆଜି ସ୍ଥାନୀୟଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନେ କହିଛନ୍ତି ୫ ବର୍ଷ ହେଲାଣି ଏହି କମ୍ପାନୀ ଦ୍ୱୟ ବନ୍ଦ ପଡିଛି। ଫଳରେ ଏଥିରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ଲୋକେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଏହି କାରଖାନା ତିଆରି ପାଇଁ ବୁଡିପଦର ତଥା ଆଖପାଖ ଅଞ୍ଚଳ ଶହଶହ ଏକର ଚାଷ ଜମି ଅଧିଗ୍ରହଣ କରାଯାଇଛି। ନିଯୁକ୍ତି ଦେବାର ପ୍ରଲୋଭନ ଦେଇ ହଜାର ହଜାର ଲୋକଙ୍କ ଜମି ଘରଦ୍ୱାର କମ୍ପାନୀ କର୍ତ୍ତୃପକ୍ଷ ହାତେଇ ନେଲେ। ଲୋକେ ମଧ୍ୟ ନିଜର ସର୍ବସ୍ୱ କମ୍ପାନୀ ହାତକୁ ଟେକି ଦେଇ ଚାକିରି ଖଣ୍ଡିଏ ଲେଖାଏଁ ପାଇଥିଲେ। ହେଲେ କମ୍ପାନୀ କାର୍ଯ୍ୟକ୍ଷମ ହେବାର ମାତ୍ର କେଇଟା ବର୍ଷ ଭିତରେ ବନ୍ଦ ହୋଇଗଲା। ଫଳରେ ସ୍ଥାନୀୟଲୋକେ ନିଯୁକ୍ତି ହରାଇ ବେରୋଜଗାର ହୋଇ ପଡ଼ିଛନ୍ତି।

କମ୍ପାନୀ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ ସେମାନେ ବାରମ୍ବାର ଦାବି କରୁଥିଲେ ହେଁ ୫ ବର୍ଷ ହେଲାଣି ପ୍ରଶାସନ କିମ୍ବା ସରକାର ଲୋକଙ୍କ ଦୁଃଖ ବୁଝୁ ନାହାଁନ୍ତି। ତେଣୁ ପ୍ରଶାସନ ଲୋକଙ୍କ ସମସ୍ୟାକୁ ଶୀଘ୍ର ସମାଧାନ କରିବା ପାଇଁ ଏମ୍ଏସ୍ପି ଓ ଏସ୍କନ ଇସ୍ପାତକୁ ପୁନଃ କାର୍ଯ୍ୟକ୍ଷମ କରାନ୍ତୁ ଅଥବା ଏହି କମ୍ପାନୀଗୁଡିକରେ ଜମିବାଡି ଘରଦ୍ୱାର ହରାଇଥିବା ଲୋକଙ୍କ ଜମି ପୁଣି ସେମାନଙ୍କୁ ଫେରସ୍ତ କରାଇ ଦିଆଯାଉ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।