ନୂଆପଡ଼ା,ଏନ୍ଏନ୍ଏସ୍: ଗତ ୪ ମାସ ତଳେ ନୂଆପଡ଼ା ବ୍ଲକ୍ ଦୂମେରପାଣି ଗ୍ରାମର ମଙ୍ଗରାଜ ପାଣ୍ଡେ ନାମକ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ନିର୍ମାଣ କରିବାକୁ କାର୍ଯ୍ୟାଦେଶ ପାଇଥିଲେ। ମାଟିର ଘରକୁ ଭାଙ୍ଗି ନୂତନ ଘର ଆରମ୍ଭ କରିଥିଲେ। ଗୃହ ନିର୍ମାଣ ବାବଦରେ ପ୍ରଥମ କିସ୍ତି ୨୦ ହଜାର ଟଙ୍କା ପାଇଛନ୍ତି । ଇତି ମଧ୍ୟରେ ୪ ମାସ ବିତି ଯାଇଥିଲେ ମଧ୍ୟ ଦ୍ୱିତୀୟ କିସ୍ତି ଅର୍ଥ ମିଳିନାହିଁ। ଏନେଇ ଗତ ଡିସେମ୍ବର ୨୪ ତାରିଖରେ ହିତାଧିକାରୀ ମଙ୍ଗରାଜ ସଦର ବିଡିଓଙ୍କୁ ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ଦେଢ଼ମାସ ବିତି ଯାଇଥିଲେ ବି ଦ୍ୱିତୀୟ କିସ୍ତି ଅର୍ଥ ମିଳିନାହିଁ। ଆଜି ହିତାଧିକାରୀ ମଙ୍ଗରାଜ ପୁଣି ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦ୍ୱିତୀୟ କିସ୍ତି ଅର୍ଥ ପ୍ରଦାନ କରିବାକୁ ଗୁହାରି କରିଥିଲେ। ଏନେଇ ନୂଆପଡ଼ା ବିଡ଼ିଓଙ୍କୁ ସମ୍ପର୍କ କରାଯାଇଥିଲେ ମଧ୍ୟ ସମ୍ପର୍କ ହୋଇପାରିନଥିଲା।