ଟେର ପାଉନି ବନବିଭାଗ : ଘରୁ ଜବତ ହେଲା ୩ଲକ୍ଷ ଟଙ୍କାର କାଠ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେସ୍କନ ଅଞ୍ଚଳରେ ଏବେ କାଠ ମାଫିଆ ସକ୍ରିୟ ହୋଇପଡିଛନ୍ତି। ବୁଧବାର କେନ୍ଦୁଝର ଡିଏଫଓ ସ୍ୱୟଂ ମଲ୍ଲିକଙ୍କ ନିର୍ଦ୍ଦେଶରେ ଚଢ଼ଉ କରାଯାଇ ବହୁ ମୂଲ୍ୟର କାଠ ଜବତ କରାଯାଇଛି। ଏସିଏଫ୍ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ମୋବାଇଲ ସ୍କ୍ୱାର୍ଡ, ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ, ସାହାରପଡା ଫୋରେଷ୍ଟର ସୁନିତା ବାଘେଲ, ପାଟଣା ଫୋରେଷ୍ଟର ସନାତନ ମିଶ୍ର, ତ୍ରିନାଥ ଜେନା, ଶଶୀଭୂଷଣ ବାରିକ, ଘଟଗାଁ ରେଞ୍ଜର ପ୍ରଭାତ କୁମାର କୁଅଁର, କ୍ଷୀରୋଦ କୁମାର ଦାସ ପ୍ରମୁଖ ଖଡିକାପଦା ଗ୍ରାମର ଗୋହିରା ସାହିରେ ଚଢ଼ଉ କରି ଗ୍ରାମର ଧନେଶ୍ୱର ମହାନ୍ତଙ୍କ ଘରରୁ ଓ ବାଡିରୁ ମହୁଲ, ଶାଳ ଓ ଅର୍ଜୁନ କାଠର ଚୌକାଠ ଏବଂ ଗଣ୍ଡି ଜବତ କରିଛନ୍ତି । ଜବତ କାଠର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଏସିଏଫ ଅଜୟ କୁମାର ସାହୁ ସୂଚନା ଦେଇଛନ୍ତି। ଘର ମାଲିକ ଧନେଶ୍ୱର ମହାନ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ତେବେ କିଛିଦିନ ପୂର୍ବରୁ ସାହାରପଡା ସେକ୍ସନ ଅଞ୍ଚଳର ବିଭିନ୍ନ ବିଟ୍ ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର କାଠ ଜବତ ହୋଇଥିଲା। ମାଫିଆମାନେ କିପରି ଘର ଭିତରେ ଏତେ ମାତ୍ରାରେ କାଠ ଗଚ୍ଛିତ ରଖିବାକୁ ସାହସ କଲେ ଏବଂ ସ୍ଥାନୀୟ ବନ ବିଭାଗ କର୍ମଚାରୀ କିପରି ଜାଣିପାରୁନାହାନ୍ତି ସେନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।