ରାୟଗଡା଼,ଏନ୍ଏନ୍ଏସ୍: ଆଗକୁ ପୌର ନିର୍ବାଚନ। ଏହାକୁ ଆଖି ଆଗରେ ରଖି ରାୟଗଡାରେ ଅନୁଷ୍ଠିତ ହୋଇଯାଇଛି ବିଜେଡ଼ିର ଯୁବ ଛାତ୍ର ସମାବେଶ। ଏନେଇ ଆଜି ଏକ ବିରାଟ ବାଇକ ଶୋଭାଯାତ୍ରା ହୋଇଥିଲା। ଏକ ବିରାଟ ପଟୁଆରରେ ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୋଜନାବୋର୍ଡ ଅଧ୍ୟକ୍ଷ ସଞ୍ଜୟ ଦାସ ବର୍ମା, ବିଜୁ ଯୁବ ଜନତା ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟମକେଶ ରାୟ , ବିଜୁ ଛାତ୍ର ଜନତାଦଳ ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ (ଯୁବବ୍ୟାପାର ) ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ଭଦ୍ରକ ବିଧାୟକ ସଞ୍ଜିବ ମଳିକଙ୍କ ସହ ରାୟଗଡା ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସ , ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ, ଅନୁସଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ପ୍ରମୁଖ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ନିକଟରୁ ବାହାରି ସହର ପରିକ୍ରମା କରି ତେଜସ୍ୱୀ ହୋଟେଲ ସମ୍ମୁଖ ପଡ଼ିଆରେ ପହଞ୍ଚି ଥିଲେ। ସେଠାରେ ଆୟୋଜିତ ବିଜୁ ଛାତ୍ର ସମାବେଶରେ ଯୋଗ ଦେବାସହ ଆଗକୁ ଥିବା ପୌର ନିର୍ବାଚନରେ ଯୁବ ଛାତ୍ର ସଂଗଠନ ଭୂମିକା ନେଇ ପାଠ ପଢାଇଥିଲେ। ଜିଲ୍ଲାର ବିକାଶ ଦିଗରେ ଛାତ୍ର ଓ ଯୁବକ ମାନଙ୍କ ଦାୟିତ୍ୱ ଓ ନବୀନ ସରକାରଙ୍କ ଜନ ହିତକର କାର୍ଯ୍ୟକ୍ରମକୁ କିପରି ଘରେ ଘରେ ପହଞ୍ଚାଇବେ ସେନେଇ ବିଜୁ ଯୁବ ଜନତା ରାଜ୍ୟ ସଭାପତି ବ୍ୟମକେଶ ରାୟ ଯୁବଛାତ୍ର କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ନେତୃତ୍ୱ ନେବାକୁ ହେଲେ ସମସ୍ତଙ୍କ ଠାରୁ ଆଲଗା ହେବାକୁ ପଡିବ , ସେଥିପାଇଁ ଆଚାରବିଚାରର କ୍ଷମତା ସାଙ୍ଗକୁ ୫୦ ବର୍ଷର ଓଡିଶା ଇତିହସକୁ ଅଧ୍ୟୟନ କଲେ ଲୋକଙ୍କ ନିକଟରେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ପହଞ୍ଚାଇ ପାରିବା ବୋଲି ଶ୍ରୀ ରାୟ କହିଛନ୍ତି।
