କାର୍ଯ୍ୟକ୍ଷମ ହେଲା ଓପିଜିସି ୟୁନିଟ୍-୨

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବାର୍ଷିକ ମରାମତି ଓ ରକ୍ଷଣାବେକ୍ଷଣ ପରେ ଇବଥର୍ମାଲସ୍ଥିତ ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ ନିଗମ (ଓପିଜିସି) ତାପଜ ବିଦ୍ୟୁତ କେନ୍ଦ୍ରର ୟୁନିଟ୍-୨ ପୁଣି କାର୍ଯ୍ୟକ୍ଷମ ହୋଇଛି। ଆଜି ସକାଳ ୧୦ଟା ୫୫ରୁ ୟୁନିଟ୍-୨ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହୋଇଥିବା ଓପିଜିସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ୨୧୦ ମେଗାୱାଟ କ୍ଷମତା ସମ୍ପନ୍ନ ଏହି ୟୁନିଟର ବାର୍ଷିକ ମରାମତି ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଗତ ଜାନୁଆରୀ ୧୩ରୁ ବନ୍ଦ ରଖିଥିଲେ। ଏହି ବନ୍ଦ ସମୟରେ କମ୍ପାନୀ କର୍ତ୍ତୃପକ୍ଷ ସରକାରୀ ପ୍ରକ୍ରିୟା ମୁତାବକ ଗ୍ରୀଡ଼କୋ ଓ ଷ୍ଟେଟ୍ ଲୋଡ୍ ଡେସପ୍ୟାଚ୍ ସେଣ୍ଟର(ଏସଏଲଡିସି)ଙ୍କ ପରାମର୍ଶ ଅନୁସାରେ ୟୁନିଟ୍-୨ର ବଏଲର, ଟର୍ବାଇନ, ଜେନେରେଟର, ଟ୍ରାନ୍ସଫର୍ମର ଆଦି ସମସ୍ତ ଆନୁସାଙ୍ଗିକ ଯନ୍ତ୍ରପାତିର ବାର୍ଷିକ ରକ୍ଷଣାବେକ୍ଷଣ ସହ ମରାମତି କାର୍ଯ୍ୟ ଶେଷ କରିଛନ୍ତି।