ହତ୍ୟା ଅଭିଯୁକ୍ତ କଇନ ରଇତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଗୁଣପୁର,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଗୁଣପୁର ଏଡିଜେ କୋର୍ଟରେ ଅଭିଯୁକ୍ତ କଇନ ରଇତଙ୍କୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ରାୟ ପ୍ରକାଶ ପାଇଛି । ଏଥିସହ ୧୦ ହଜାର ଜୋରିମାନା ପ୍ରଦାନ କରିବାକୁ ରାୟରେ ଉଲ୍ଲେଖ କରାଯାଇଛି । ଜୋରିମାନା କୋର୍ଟରେ ପ୍ରଦାନ ନକଲେ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ରୁମ୍ବାତି ଗ୍ରାମର ଇଶବନ୍ତ ଶବର ଓ ତାଙ୍କ ସ୍ଵାମୀ ଇଷ୍ଟ ଶବର ମିଶି ଗାଁ ନିକଟରେ ମହୁଲ ଫୁଲ ତୋଳିବା ପାଇଁ ଯାଇଥିଲେ। ସେ ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରୁମ୍ବାତି ଗ୍ରାମର କଇନ ରଇତ ଉକ୍ତ ମହୁଲ ଫୁଲ ତୋଳିବା ସ୍ଥାନକୁ ଯାଇଥିଲେ। କୌଳଶକ୍ରମେ ଇଷ୍ଟ ଶବରକୁ ନିଜ ପାଖକୁ ଡାକି ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡ ଓ ପିଠିକୁ ଆକ୍ରମଣ କରିଥିଲେ। ଆହତ ଇଷ୍ଟ ଶବର ପ୍ରାଣ ବିକଳରେ ଚିତ୍କାର କରିଥିଲେ। ସେଠାରେ ଥିବା ଇଷ୍ଟ ଶବରଙ୍କ ସ୍ତ୍ରୀ ଇଷବନ୍ତ ଓ ରୁମ୍ବାତି ଗ୍ରାମର ଶାରଣୀ ଶବର, ଅଜୟ ରଇତ, ଶୀଳ ଶବର ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଇଷ୍ଟକୁ ନିଜ ଗାଁକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଗୁଣପୁର ଉପଖଣ୍ଡ ମେଡିକାଲକୁ ନେବା ବାଟରେ ଇଷ୍ଟଙ୍କ ମୃତ୍ୟୁ ଘଟିଥିଲା। ପରେ ଅଭିଯୁକ୍ତ କଇନ ଫେରାର ହୋଇଯାଇଥିଲେ। ମୃତ ଇଷ୍ଟଙ୍କ ସ୍ତ୍ରୀ ଇଷବନ୍ତ ଏନେଇ ପୁଟାସିଂ ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ତତ୍କାଳୀନ ପୁଟାସିଂ ଥାନା ଆଇଆଇସି ଜ୍ଞାନେନ୍ଦ୍ର କୁମାର ସାହୁ ଥାନାରେ ହତ୍ୟା ମାମଲା ରୁଜୁ କରିଥିଲେ। ଅଭିଯୁକ୍ତ କଇନକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ଏହି ମାମଲା ଗୁଣପୁର ଏଡିଜେ କୋର୍ଟରେ ଗତ ୩ ବର୍ଷ ୧୦ମାସ ବିଚାରଧୀନ ଥିଲା। ସେହି ମାମଲାର ବିଚାର କରି ଅଭିଯୁକ୍ତ କଇନ ରଇତଙ୍କୁ ସ୍ଥାନୀୟ ଏଡିଜେ ଅଜୟ କୁମାର ପ୍ରଧାନ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଏବଂ ୧୦ ହଜାର ଟଙ୍କା ଜୋରିମାନା ଥାନାରେ ପ୍ରଦାନ କରିବାକୁ ରାୟରେ ପ୍ରକାଶ କରିଛନ୍ତି । ଅଭିଯୁକ୍ତ କଇନ ରଇତଙ୍କ ପାଇଁ ବରିଷ୍ଠ ଆଇନଜୀବୀ ଦୁର୍ଗାପ୍ରସାଦ ମଣିପାତ୍ର ଲଢ଼ିଥିବା ବେଳେ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କୃଷ୍ଣଚନ୍ଦ୍ର ସେନାପତି କୋର୍ଟ ଚାଲାଣ ମାମଲା ପରିଚାଳନା କରିଥିଲେ।