ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚାୟତର ଡାକ ସେବା କେନ୍ଦ୍ର ମାସ ମାସ ଧରି ବନ୍ଦ ରହୁଥିବା ଅଭିଯୋଗ ହୋଇଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ୱାଭିମାନ ଅଞ୍ଚଳକୁ ବିକାଶ ଧାରାରେ ସାମିଲ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସରକାରୀ ଯୋଜନା ପ୍ରଣୟନ କରିବା ସହ ଅଞ୍ଚଳର ସମସ୍ତ ସରକାରୀ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି। କିନ୍ତୁ ପାପରମେଟଲା ଗ୍ରାମରେ ଥିବା ଡାକ ସେବା କେନ୍ଦ୍ରରେ କାର୍ଯ୍ୟରତ ପୋଷ୍ଟମାଷ୍ଟର ପିତାମ୍ବର ଖେମୁଡୁ ନିଜ କାର୍ଯ୍ୟରେ ଦୀର୍ଘ ଦିନରୁ ଅବହେଳା କରି ଆସୁଥିବା ସ୍ଥାନୀୟ ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି। ପୋଷ୍ଟ ମାଷ୍ଟର ପିତାମ୍ବର କାର୍ଯ୍ୟାଳୟକୁ ଆସୁ ନଥିବାବେଳେ ମାସ ମାସ ଧରି କାର୍ଯ୍ୟାଳୟ ବନ୍ଦ ରହିଛି। ଫଳରେ ଡାକ ସେବା ବାଧାପ୍ରାପ୍ତ ହେଉଛି। ତେବେ ଏନେଇ ଗ୍ରାମବାସୀ ବାରମ୍ବାର ପୋଷ୍ଟ ମାଷ୍ଟରଙ୍କୁ କହିବାରୁ ସେ ବିଭିନ୍ନ ରାଜନେତାଙ୍କ ନାମ କହି ଲୋକଙ୍କୁ ଭୟଭୀତ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଗ୍ରାମବାସୀ ପୂର୍ବରୁ ବହୁବାର ଉପରସ୍ଥ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଜନସାଧାରଣଙ୍କୁ ସେବା ଯୋଗାଇ ଦେବାକୁ ନିଯୁକ୍ତି ଦିଆଯାଇଥିବା ଏହି ସରକାରୀ କର୍ମଚାରୀ ପ୍ରତ୍ୟେକ ମାସରେ ବେତନ ନେଉଥିବା ବେଳେ କାର୍ଯ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି। ତେବେ ତାଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ବତନ ସରପଞ୍ଚ ପ୍ରତାମ ଗୋଲାରୀ ଓ ଡମୁ ଖିଲ ଦାବୀ କରିଛନ୍ତି।