ନୂଆଦିଲ୍ଲୀ,ଏଜେନ୍ସି: ଲାଲକିଲ୍ଲା ହିଂସା ଘଟଣାରେ ଫେରାର ଅଭିଯୁକ୍ତ ସୁଖଦେବ ସିଂହକୁ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଚଣ୍ଡିଗଡ଼ରୁ ଗିରଫ କରିଛି। ସୁଖଦେବକୁ ପୁଲିସ ସୋମବାର କୋର୍ଟ ଚାଲାଣ କରିବ।
ସୁଖଦେବ ସିଂହ କରନାଲରେ ଲୁଚିଥିବା ଏସଆଇଟିକୁ ସୂଚନା ମିଳିଥିଲା। ତାକୁ ଗିରଫ ପାଇଁ ପୁଲିସର ଏକ ଟିମ କରନାଲରେ ପହଞ୍ଚିଥିଲା। ସୁଖଦେବ ପୁଲିସ ସମ୍ପର୍କରେ ଖବର ପାଇ କାରରେ ଚଣ୍ଡିଗଡ଼କୁ ଫେରାର ହେଉଥିବା ବେଳେ ପୁଲିସ ଅତର୍କିତ ଭାବେ ଚଢ଼ଉ କରି ଗିରଫ କରିଛି।
ସୂଚନାଯୋଗ୍ୟ ଯେ, ହିଂସା ପରେ ଦିଲ୍ଲୀ ପୁଲିସ ଅଭିଯୁକ୍ତ ସୁଖଦେବକୁ ଖୋଜୁଥିଲା। ତାକୁ ଗିରଫ କରିବା ଲାଗି ୫୦ ହଜାର ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା। ଏସବୁ ପରେ ବି ସୁଖଦେବକୁ ଗିରଫ କରିବା ପାଇଁ ପୁଲିସକୁ ୧୨ ଦିନ ସମୟ ଲାଗିଥିଲା। ଏବେ ବି ପଞ୍ଜାବୀ ଗାୟକ ଦୀପ ସିଦ୍ଧୁ ଫେରାର ରହିଛି। ଦିଲ୍ଲୀ ପୁଲିସର ୩ଟି ଟିମ ହରିୟାଣାରେ ଚଢ଼ଉ ଜାରି ରଖିଛନ୍ତି।