ଦେବଗଡ଼,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ଅଖିଳ ଭାରତୀୟ ସଂଯୁକ୍ତ କିଶାନ ବିଶାଳ ମୋର୍ଚ୍ଚାର ଆହ୍ୱାନ କ୍ରମେ ଆଜି ପୂର୍ବାହ୍ଣରେ ଦେବଗଡ଼ ଜିଲ୍ଲା କୃଷକ ସଂଘ ପକ୍ଷରୁ ସ୍ଥାନୀୟ ପୁରୁଣାଗଡ଼ ପେଟ୍ରୋଲ ପମ୍ପ ଛକ ନିକଟ ବାଇପାସ ଠାରେ ଦେବଗଡ଼ ଜିଲ୍ଲା କୃଷକ ସଂଘର ସଭାପତି ପ୍ରମୋଦ କୁମାର ଝାଙ୍କରଙ୍କ ନେତୃତ୍ୱରେ କୃଷକ ମାନେ ୪୯ନଂ ଓ ୫୩ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଦେବଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ଉମାଶଙ୍କର ସାହୁଙ୍କ ସମେତ ବହୁ କଂଗ୍ରେସ କର୍ମୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଚାଷୀଙ୍କୁ ସମର୍ଥନ କରି ଚକାଜାମ ଆନ୍ଦୋଳନରେ ସାମିଲ ହୋଇଥିଲେ।
ଏହି ଅବସରରେ କେନ୍ଦ୍ର ସରକାରଙ୍କ କୃଷି ନୀତି ବିଲକୁ ବିରୋଧ କରି ବିଭିନ୍ନ ସ୍ଲୋଗାନ ଦେବା ସହ ବିପର୍ଯ୍ୟସ୍ତ କୃଷି ବ୍ୟବସ୍ଥାକୁ ସୁଧାରିବାକୁ ଦାବି କରିଥିଲେ। ସେହିପରି ବେଞ୍ଜାତିନାଲି ଛକ ନିକଟରେ ଥିବା ବାଇପାସ ରାସ୍ତାରେ ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ସଭାପତି ସେମ ହେମ୍ବ୍ରମଙ୍କ ନେତୃତ୍ୱରେ ସଂଘର ଶତାଧିକ ସଦସ୍ୟ ଅନୁରୂପ ଭାବେ ୪୯ନଂ ଓ ୫୩ ନଂ ଜାତୀୟ ରାଜପଥ ଅବରୋଧ କରି କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଚକାଜାମ ଆନ୍ଦୋଳନ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକିରହିଥିଲା।
ପେଟ୍ରୋଲ ପମ୍ପ ଛକ ନିକଟ ବାଇପାସ ଠାରେ ଏହି ଚକାଜାମ ଆନ୍ଦୋଳନରେ ଜିଲ୍ଲା କୃଷକ ସଂଘର ବିଜୟ କୁମାର ପ୍ରଧାନ, ସଂଗ୍ରାମଜିତ କୁଅଁର, ବସନ୍ତ କୁମାର ମିଶ୍ର, ପ୍ରକାଶ ଚନ୍ଦ୍ର ଦେବତାଙ୍କ ସମେତ ସଂଘର ବହୁ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏଥିସହ ବେଞ୍ଜାତିନାଲି ଛକ ନିକଟରେ ଥିବା ବାଇପାସ ରାସ୍ତାରେ ଜିଲ୍ଲା କୃଷକ ସଂଘ ପକ୍ଷରୁ ଦେବରାଜ ପ୍ରଧାନ, ବିରଞ୍ଚି ଭୋଇ, ପିତାମ୍ବର ବେହେରା, ତୀର୍ଥବାସୀ ବେହେରା, ଚଣ୍ଡାଳ ଜାଳ, କରୁଣାକର ପ୍ରଧାନ, ତୀର୍ଥବାସୀ ସାହୁ, କୁଳମଣୀ ସାହୁ, ଯୁଗଳ ପୃଷ୍ଟୀ, ଲକ୍ଷ୍ମୀ ମାରେହୀ, ସଞ୍ଜୁ ସାହୁ ଓ ପ୍ରଭାତି ବିଶ୍ୱାଳ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।