ଜିଲ୍ଲାର ବିଭିନ୍ନ ସ୍ଥାନରେ ୩ ଘଣ୍ଟା ଚକା ଜାମ କଲେ ଚାଷୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନ ୧୨ଟାରୁ ୩ଟା ଯାଏଁ ଚାଷୀମାନେ ଚକା ଜାମ କରିଛନ୍ତି। ଅଖିଳ ଭାରତୀୟ ସଂଯୁକ୍ତ କିଷାନ ସଂଘ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲାର ଚାଷୀମାନେ କୋଲାବିରା, ଲଖନପୁର, କନକତୋରା, ପ୍ରସନ୍ନ ପଣ୍ଡା ଛକ ପରି ବିଭିନ୍ନ ଛକରେ ଅଖଚକ ଜାମ କରିଛନ୍ତି। ପ୍ରସନ୍ନ ପଣ୍ଡା ଛକ ଓ ବିଜୁ ଏକ୍ସପ୍ରେସ ୱେକୁ ଚାଷୀମାନେ ଅବରୋଧ କରିବାରୁ ସମ୍ବଲପୁର-ଝାରସୁଗୁଡା-ସୁନ୍ଦରଗଡ଼ ମଧ୍ୟରେ ଯାତାୟତ ବିଚ୍ଛିନ୍ନ ହୋଇଛି। ସେହିପରି ପ୍ରସନ୍ନ ପଣ୍ଡାଛକ, ଲଖନପୁର ଛକ ଓ ସୀମାନ୍ତ କନକତୋରା ଛକରେ ଚାଷୀଙ୍କ ଆନ୍ଦୋଳନ ଯୋଗୁ ଝାରସୁଗୁଡ଼ା-ଛତିଶଗଡ଼ ମଧ୍ୟରେ ଯାତାୟତ ଠପ ରହିଥିଲା। ଏହାସହ ଚାଷୀମାନେ କୋଲାବିରା ଛକରେ ମଧ୍ୟ ଆନ୍ଦୋଳନ କରିବାରୁ ଝାରସୁଗୁଡ଼ା ଓ ଦେବଗଡ଼ ମଧ୍ୟରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା।

ଚାଷୀମାନେ ୩ ଘଣ୍ଟା ଅଖଚକ ବନ୍ଦ କରି ୩ଟି କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର, ଜିଲ୍ଲାର ସମସ୍ତ ଚାଷୀଙ୍କୁ ଆବଶ୍ୟକ ପରିମାଣର ଟୋକନ ପ୍ରଦାନ, ଏମଏସପିକୁ ଆଇନର ମାନ୍ୟତା ପ୍ରଦାନ, ସ୍ୱାମୀନାଥନ କମିଶନ ଲାଗୁ ଓ ଜିଲ୍ଲାର ସମସ୍ତ ସେବା ସମବାୟ ସମିତି (ପେକ୍ସ) ଅଧିନସ୍ଥ ଚାଷୀ ଅମଳ କରିଥିବା ଧାନ ବିକ୍ରୟ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି। ସେହିପରି ଚାଷୀଙ୍କ ଦାବି ମୁତାବକ ତୁରନ୍ତ ୩ଟି ଯାକ ନୂତନ କୃଷି ଆଇନ ପ୍ରତ୍ୟାହାର କରାନଗଲେ ଆହୁରି ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ କହିଛନ୍ତି। ଆଜି ଚାଷୀମାନେ କରିଥିବା ଆନ୍ଦୋଳନକୁ ଜିଲ୍ଲା କଂଗ୍ରେସ, ସିପିଆଇ, ଓଡ଼ିଶା ପ୍ରଗତିଶୀଳ ଶ୍ରମିକ ମଞ୍ଚ ପରି ଜିଲ୍ଲାର ୧୮ଟି ସଂଗଠନ ସମର୍ଥନ ଜଣାଇଥିବାବେଳେ ଚାଷୀ ନେତା ସୁରନ୍ଦ୍ର ସାହୁ, ଦିଲ୍ଲୀପ ବଢ଼େଇ, ବିରଞ୍ଚି ସାହୁ, ଗୋପିନାଥ ମାଝୀ, କଂଗ୍ରେସ ନେତା ମହେନ୍ଦ୍ର ନାୟକ, ଭାସ୍କର ପ୍ରଧାନ, ରତ୍ନାକର ପ୍ରଧାନ, ସାରଙ୍ଗଧାର ମିଶ୍ର ଓ କମ୍ୟୁନିଷ୍ଟ ନେତା ରମେଶ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।