ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଆଜି ଦ୍ୱିତୀୟ ଦଫା ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ଭାବେ ଖୋଲାଯାଇଥିବା କୋଭିଡ-୧୯ ଟିକାକରଣ କେନ୍ଦ୍ରରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ମହାନ୍ତ ସର୍ବ ପ୍ରଥମେ ଟିକା ଗ୍ରହଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କୋଭିଡ-୧୯ ଟିକା ନେଉଥିବା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଡାକ୍ତରଙ୍କ ତତ୍ତ୍ୱାବଧାନରେ ପର୍ଯ୍ୟବେକ୍ଷଣ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ନିରୀକ୍ଷଣ କରାଯାଉଥିବା ବେଳେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଲକ୍ଷଣ ଦେଖାଦେଲେ ତତ୍କାଳ ସମସ୍ତ ଚିକିତ୍ସା ସୁବିଧା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି।
ଆଜି ମୋଟ ୧୮୪ ଜଣଙ୍କୁ ଟିକାଦାନ କରାଯିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ଜଣାପଡ଼ିଛି। ଆଜିର ଏହି ଟିକାକରଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଧରମ ହାଂସଦା, ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀଙ୍କୁ ଟିକାକରଣ କରାଯାଇଥିବା ଜଣାପଡ଼ିଛି। ଏହି ଟିକାକରଣ କାର୍ଯ୍ୟକ୍ରମ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭ୍ୟାକ୍ସିନ ଓ ଟିକାକରଣ ପାଇଁ କର୍ମଚାରୀ ବ୍ୟବସ୍ଥା କରାଯାଇଥିବା ବେଳେ ଟିକାକରଣର ସୁପରିଚାଳନା ପାଇଁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଶାନ୍ତ କୁମାର ନାୟକ ଓ ଡେପୁଟି କଲେକ୍ଟର କୈବଲ୍ୟ କୁମାର କରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଯାଇଛି।
ଅନ୍ୟପକ୍ଷରେ ଟିକା ଗ୍ରହଣ ପରେ ଜିଲ୍ଲାପାଳ ଶ୍ରୀ ସାମଲ ନିଜର ଅନୁଭୂତି ପ୍ରକାଶ କରିବା ସହ ସମସ୍ତ ଜନସାଧାରଣ ବିନା ଭୟରେ ଟିକା ଗ୍ରହଣ କରି ଜିଲ୍ଲାକୁ କରୋନା ମୁକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି।