ବିଜେଡ଼ିର କର୍ମୀ ସମ୍ମିଳନୀ: ଦଳର ସଂଗଠନକୁ ସୁଦୃଢ଼ କରିବାକୁ କର୍ମୀଙ୍କୁ ପରାମର୍ଶ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ନଗର ଭବନଠାରେ ଜିଲ୍ଲା ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ମାଲକାନଗିରି ପର୍ଯ୍ୟବେକ୍ଷକ ତଥା ବିଧାୟକ ଚନ୍ଦ୍ର ସାରଥୀ ବେହେରା, ରାଜ୍ୟ ବିହନ ନଗରର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡ଼କାମି, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି, ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଆଡ଼ମା ରାୱା ପ୍ରମୁଖ ଯୋଗଦେଇଛନ୍ତି।

ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ କରି ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ପରାମର୍ଶ ଦେଇଦିଆଯାଇଛି। ଆସନ୍ତା ପଞ୍ଚାୟତ ନିର୍ବାଚନ ଓ ପୌର-ନିର୍ବାଚନରେ ବିଜେଡିର ପ୍ରାର୍ଥୀମାନେ ବିପୁଳ ଭୋଟରେ ବିଜୟ ଲାଭ କରିବେ, ସେଥିନେଇ ଆଲୋଚନା କରିଥିଲେ। ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ସକ୍ରିୟ ସଦସ୍ୟ, ଚୟନ ପ୍ରକ୍ରିୟା ଜାରି ରହିଥିବା ବେଳେ ଆସନ୍ତା ୧୦ ଦିନ ମଧ୍ୟରେ ଏହି ତାଲିକା ପ୍ରସ୍ତୁତ କରି ରାଜ୍ୟକୁ ପଠାଇବାକୁ ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି। ଚୟନ ହୋଇଥିବା ଏହି ଦଳ ତୃଣମୂଳ ସ୍ତରରେ ପହଞ୍ଚି ଲୋକଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସଚେତନ କରାଇବାକୁ ସେ ପରାମର୍ଶ ଦେଇଥିଲେ।

ପ୍ରତି ଜିଲ୍ଲା ପରିଷଦ ଜୋନ ଗୋଟିଏ ଜୋନାଲ ଭାବେ ପରିଗଣିତ କରି ପ୍ରତି ଜୋନରେ ଏକ ଜୋନାଲ କମିଟି ପ୍ରସ୍ତୁତ କରି ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିବା ସହ ନିର୍ବାଚନ ପ୍ରକ୍ରିୟାରେ ସହଭାଗିତା ନେଇ କାର୍ଯ୍ୟ କରିବାକୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ।