ଦେବଗଡ଼,ଏନ୍ଏନ୍ଏସ୍: କରୋନାର ଭଳି ଘଡିସନ୍ଧି ମୁହୂର୍ତ୍ତରେ ବାରକୋଟ ବ୍ଲକର କଣ୍ଟାପାଲି ପଞ୍ଚାୟତ ସଦର ମହକୁମାରେ ଅସ୍ଥାୟୀ ମେଡିକାଲ ସେଣ୍ଟରରେ ପ୍ରବାସୀମାନଙ୍କୁ ଖାଦ୍ୟ ଯୋଗାଇ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ଆଜି ପର୍ଯ୍ୟନ୍ତ ସେମାନଙ୍କର ପ୍ରାପ୍ୟ ମିଳିନାହିଁ। ଫଳରେ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଏହାର ପ୍ରତିବାଦରେ ଆଜି ସେମାନେ କଣ୍ଟାପାଲି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଥିଲେ।
ସୂଚନା ଅନୁଯାୟୀ କରୋନା ଜନିତ ଲକଡାଉନ ସମୟରେ ସରକାର ବାରକୋଟ ବ୍ଲକ ର କଣ୍ଟାପାଲି ହାଇସ୍କୁଲରେ ଏକ ଅସ୍ଥାୟୀ ମେଡିକାଲ ସେଣ୍ଟର ଖୋଲିବା ସହ ସେଠାରେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କୁ ଆଶ୍ରୟ ଦେଉଥିଲେ। ଖାଦ୍ୟ ପ୍ରସ୍ତୁତ କରି ପ୍ରବାସୀ ମାନଙ୍କୁ ଯୋଗାଇବା ନିମନ୍ତେ ସରକାରଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେଶ ପ୍ରଧାନ ଉକ୍ତ ଗ୍ରାମର ଆଇଏମକେ(ଇନ୍ଦିରା ମହିଳା କେନ୍ଦ୍ର)ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ୱ ପ୍ରଦାନ କରିଥିଲେ। ଉକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ମଧ୍ୟ ଡରଭୟ ଛାଡି ୨୦୨୦ ମସିହା ମେ ମାସ ୨୫ ତାରିଖରୁ ଦୀର୍ଘ ୮ ଦିନ ପର୍ଯ୍ୟନ୍ତ ଉକ୍ତ ଅସ୍ଥାୟୀ ମେଡିକାଲ ସେଣ୍ଟରରେ ରହୁଥିବା ୨୪ ଜଣ ପ୍ରବସୀଙ୍କୁ ଖାଦ୍ୟ ଯୋଗାଇଦେଥିଲେ। ମାତ୍ର ବିଡମ୍ବନାର ବିଷୟ ଏହା ଯେ, ଇତିମଧ୍ୟରେ ଏହାର୮ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ଏ ବାବଦୀୟ ପ୍ରାପ୍ୟ ମିଳିପାରିନାହିଁ। ଫଳରେ ଆଜି ସେମାନେ ଏହାର ପ୍ରତିବାଦ କରିବାସହ ପ୍ରାପ୍ୟ ଦାବିରେ କଣ୍ଟାପାଲି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେଶ କୁମାର ପ୍ରଧାନ ସେମାନଙ୍କ ସହ ଆଲୋଚନା କରିବା ସହ ଫୋନ ଯୋଗେ ବାରକୋଟ ବ୍ଲକର ପଞ୍ଚାୟତ ସଂପ୍ରସାରଣ ଅଧିକାରୀ କସମସ୍ ତିର୍କୀଙ୍କ ସହ କଥା କରାଇଥିଲେ। ଫଳରେ ଶ୍ରୀ ତିର୍କୀ ଆଗାମୀ ଏକ ସପ୍ତାହ ମଧ୍ୟରେ ସେମାନଙ୍କୁ ପ୍ରାପ୍ୟ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବାରୁ ମହିଳାମାନେ ତାଲା ଖୋଲିଥିଲେ।