ଋଷରେ ଅପ୍ରୀତିକର ପରିସ୍ଥିତି; ୫ ହଜାରରୁ ଊର୍ଦ୍ଧ୍ୱ ନାଭାଲନି ସମର୍ଥକ ଗିରଫ

ମସ୍କୋ,ଏଜେନ୍ସି: ଋଷ ରାଷ୍ଟ୍ରପତି ଭ୍ଲାଦମିରି ପୁଟିନଙ୍କ ବିରୋଧରେ ସ୍ଲୋଗାନ ଦେଇ ୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇଛି। ଜେଲରେ ଥିବା ବିରୋଧୀ ଦଳ ନେତା ଆଲେକ୍ସାଇ ନାଭାଲନିଙ୍କୁ ମୁକ୍ତ କରିବାକୁ ଦାବି କରି ହଜାର ହଜାର ଲୋକ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛନ୍ତି। ଫଳରେ ଦେଶରେ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ପୁଲିସ ଗିରଫ କରିଛି।

ଋଷ କର୍ତ୍ତୃପକ୍ଷଙ୍କ ଉଦ୍ୟମ ସତ୍ତ୍ୱେ ଗତ ସପ୍ତାହରେ ଦେଶବ୍ୟାପୀ ହଜାର ହଜାର ସଂଖ୍ୟାରେ ସମାବେଶ ହୋଇଥିଲା। ଫଳରେ ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ପୁଲିସକୁ ନାକେଦମ ହେବାକୁ ପଡିଛି। ମସ୍କୋରେ ନାଭଲନିଙ୍କ ମାମଲାର ଶୁଣାଣି ହେବାକୁ ଯାଉଛି। ଯେଉଁଠି ତାଙ୍କୁ ଆଜୀବନ କାରାଦଣ୍ଡ ହେବାର ମଧ୍ୟ ସମ୍ଭାବନା ରହିଛି। ଫଳରେ ମସ୍କୋ ରାଜରାସ୍ତାରେ ହଜାର ହଜାର ନାଭାଲନିଙ୍କ ସମର୍ଥକ ବିରୋଧ ପ୍ରଦର୍ଶନ କରିଛନ୍ତି।

ପୁଟିନଙ୍କ ଜଣାଶୁଣା ସମାଲୋଚକ ୪୪ ବର୍ଷୀୟ ନାଭାଲନିଙ୍କୁ ଜାନୁଆରୀ ୧୭ ରେ ଜର୍ମାନୀରୁ ଫେରିବା ପରେ ଗିରଫ କରାଯାଇଥିଲା। ତାଙ୍କ ଉପରେ ଲାଗୁହୋଇଥିବା ଅଭିଯୋଗକୁ ନାଭାଲନି ଭିତ୍ତିହୀନ କହିଥିବାବେଳେ ଏହାକୁ ପ୍ରତ୍ୟାଖାନ କରିଛନ୍ତି ଋଷ କର୍ତ୍ତୃପକ୍ଷ। ସେପଟେ ନାଭାଲନିଙ୍କୁ ମୁକ୍ତ କରିବାକୁ ଋଷକୁ ଅନୁରୋଧ କରିଛି ଆମେରିକା। ନାଭାଲନିଙ୍କ ବିରୋଧରେ ଲାଗୁ କରାଯାଇଥିବା କଟକଣାକୁ ମଧ୍ୟ ସମାଲୋଚନା କରିଛି ଆମେରିକା।

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଟୁଇଟ କରି କହିଛନ୍ତି ଯେ ଋଷର କର୍ତ୍ତୃପକ୍ଷ ଦ୍ୱାରା ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀ ତଥା ସାମ୍ବାଦିକଙ୍କ ବିରୋଧରେ କ୍ରମାଗତ କୌଶଳ ପ୍ରୟୋଗକୁ ଆମେରିକା ନିନ୍ଦା କରିଛି।