ଆଇଓସିଏଲ ପକ୍ଷରୁ ତୈଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ସଦର ମହକୁମାଠାରେ ଆଇଓସିଏଲ ପକ୍ଷରୁ ତୈଳ ସଂରକ୍ଷଣ ସମ୍ପର୍କିତ ଏକ ସଚେତନ ସଭା ଓ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗୋପାଳଜୀ ମନ୍ଦିର ପରିସରରେ ଆଇଓସିଏଲ ମାନବ ସମ୍ବଳ ବିଭାଗର ସିଜିଏମ ଶ୍ରୀନିବାସ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଆଇଓସିଏଲର କାର୍ଯ୍ୟକାରୀ ଜିଏମ୍ ପ୍ରମୋଦ ଚେଲୀ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାରେ ବାଳିକା ଫୁଟବଲ ଖେଳାଳୀ ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା କିଶୋର କୁମାର ବେହେରାଙ୍କୁ ଆନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତାସହ ଏକ ସାଇକେଲ ରାଲି ନଗର ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାକୁ ବିଧାୟକ ଶ୍ରୀ ପାଣିଗ୍ରାହୀ ଶୁଭାରମ୍ଭ କରିଥିଲେ।