ବରଗଡ଼/ଗାଇସିଲେଟ,ଏନ୍ଏନ୍ଏସ୍: ଆଜି ଗାଇସିଲେଟ ବ୍ଲକ୍ ବିଜେଡି ଦଳର ପୂର୍ବତନ ବ୍ଲକ୍ ସଭାପତି ମନୋଜ ପଣ୍ଡାଙ୍କ ପରଲୋକ ହୋଇଯାଇଅଛି। ଗତ କିଛିଦିନ ତଳେ ସେ ଗାଇସିଲେଟରେ ଏକ ଦଳୀୟ କର୍ମୀ ସମ୍ମଳନୀ ସାରି ଘରକୁ ଫେରୁଥିବା ସମୟରେ ତାଙ୍କର କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଦୀର୍ଘଦିନର ଚିକିତ୍ସା ପରେ ଆଜି ତାଙ୍କର ପୂର୍ବାହ୍ଣରେ ପରଲୋକ ହୋଇଯାଇଅଛି।
ତାଙ୍କର ଦେହାନ୍ତ ଖବର ଶୁଣିବା ପରେ ଗାଇସିଲେଟ ବ୍ଲକ୍ ତଥା ପଦ୍ମପୁରରେ ଗଭୀର ଶୋକ ଖେଳି ଯାଇଛି। ସ୍ୱର୍ଗତ ପଣ୍ଡା ଜଣେ ରାଜନୈତିକ ବ୍ୟକ୍ତିତ୍ଵ ହୋଇ ମଧ୍ୟ କ୍ରିକେଟ ଖେଳ ପ୍ରତି ତାଙ୍କର ରୁଚି ରହିଥିଲା। ସେ ନିଜେ ଜଣେ କ୍ରିକେଟ ଖେଳାଳି ଥିବା ବେଳେ ପଦ୍ମପୁର ବୋରାସମ୍ବର କ୍ରିକେଟ ଆସୋସିଏସନର ପୂର୍ବତନ ସଭାପତି ଥିଲେ। ତାଙ୍କର ଦେହାନ୍ତ ଖବର ଶୁଣିବା ପରେ ସମଗ୍ର ଗାଇସିଲେଟ ବ୍ଲକ ଓ ପଦ୍ମପୁର ଅଞ୍ଚଳରେ ଗଭୀର ଶୋକ ଖେଳି ଯାଇଛି। ସ୍ୱର୍ଗତ ପଣ୍ଡାଙ୍କ ମୃତ୍ୟୁରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ବିଜୟ ରଞ୍ଜନ ସିଂ ବରିହା, ବିଧାୟିକା ରୀତା ସାହୁ, ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଏପିକୋଲ ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର, ବରଗଡ଼ ନଗର ବିଜେଡି ସଭାପତି କିଶୋର କୁମାର ମିଶ୍ର, ଜିଲ୍ଲା ଯୁବ ବିଜେଡ଼ି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ପ୍ରଣୟ ସାହୁ, ଗୌରହରି ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି।