ନୂଆଦିଲ୍ଲୀ: ଆଜି ସମଗ୍ର ଦେଶରେ ‘ପୋଲିଓ ରାଷ୍ଟ୍ରୀୟ ଟିକାକରଣ ଦିବସ’ ପାଳନ କରାଯାଉଛି। ଏହି ଅବସରରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପଲ୍ସ ପୋଲିଓ ଡ୍ରପ୍ ପିଆଇ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।
ଦେଶକୁ ପୋଲିଓମୁକ୍ତ ରଖିବା ପାଇଁ ଭାରତ ସରକାରଙ୍କ ଅଭିଯାନ ଅନ୍ତର୍ଗତ ୫ ବର୍ଷରୁ କମ୍ ବୟସର ୧୭ କୋଟି ପିଲାଙ୍କୁ ପୋଲିଓ ଟିକା ଦିଆଯାଇଥାଏ। ଏହି ଦେଶବ୍ୟାପୀ ଅଭିଯାନରେ ପାଖାପାଖି ୨୪ଲକ୍ଷ ସ୍ୱୟଂସେବକ, ୧.୫ଲକ୍ଷ ସୁପରଭାଇଜର ଏବଂ ଅନେକ ନାଗରିକ ସଂଗଠନ, ଡବ୍ଲ୍ୟୁଏଚଓ, ୟୁନିସେଫ ଓ ରୋଟାରୀ ଆଦି ସହଯୋଗ କରୁଛନ୍ତି।
ସୂଚନାଯୋଗ୍ୟ, ଦିନକ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରୁ ୫ ବର୍ଷରୁ କମ୍ ବୟସର ପିଲାଙ୍କୁ ପୋଲିଓ ଟିକା ପିଆଇ ୨୦୨୧ର ପଲ୍ସ ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।