ମୟୂରଭଞ୍ଜ ପ୍ରିମିୟର ଲିଗ ଉଦଘାଟିତ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ ବହୁ ଯୁବ ପ୍ରତିଭା ନିଜର ଦକ୍ଷତା ପ୍ରଦର୍ଶନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ପକ୍ଷରୁ ଏକ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଖେଳ ଓ ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଫୁଟବଲ ଓ କ୍ରିକେଟ ଖେଳକୁ ନେଇ ମୟୂରଭଞ୍ଜ ପ୍ରିମିୟର ଲିଗ ଆୟୋଜନ କରାଯାଉଛି। ଆଜି ଏହି ପ୍ରିମିୟର ଲିଗ ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ଏହି ଅବସରରେ ଆଜି ପୂର୍ବାହ୍ଣ ୧୦ଟା ସମୟରେ ଅଧିଷ୍ଠାତ୍ରୀ ଦେବୀ ମା’ ଅମ୍ବିକା ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ମଶାଲରେ ଅଗ୍ନି ସଂଯୋଗ କରାଯାଇଥିଲା। ରାଜ୍ୟସ୍ତରୀୟ ବିଶିଷ୍ଟ ଭେଟରାନ ଫୁଟବଲ ଖେଳାଳି ପରେଶ ଚନ୍ଦ୍ର ଦାସ ମଶାଲ ଧରି ଶତାଧିକ ଯୁବ, ଛାତ୍ର ଓ ମୟୂରଭଞ୍ଜ ପ୍ରିମିୟର ଲିଗ କ୍ରିକେଟ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିବା ସମସ୍ତ ଟିମର ଖେଳାଳିମାନଙ୍କ ଗହଣରେ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଛି।

ଏଥିସହ ବିଜୁ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟ ଶେଷ କରି କଲେଜ ପଡ଼ିଆରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଓଡ଼ିଶା ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଓଡ଼ିଶା ବିଧାନସଭାର ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ପୂର୍ବତନ ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭାପତି ଡ. ଦେବାଶିଷ ମାରାଣ୍ଡି, ପୂର୍ବତନ ବିଧାୟକ ଭାଦବ ହାଁସଦା, ଛବି ମାହାଲି ପ୍ରମୁଖ ମଶାଲ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ।

ଉକ୍ତ ପ୍ରତିଯୋଗିତା ଜାନୁଆରୀ ୩୦ରୁ ଆରମ୍ଭ ହୋଇ ଫେବୃଆରୀ ୬ ପର୍ଯ୍ୟନ୍ତ ପ୍ରତି ବ୍ଲକ୍ ସ୍ତରରେ ଆୟୋଜିତ ହେବ। ଫେବୃଆରୀ ୮ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ବ୍ଲକରୁ ଚୟନ ହୋଇଥିବା ଦଳଗୁଡ଼ିକୁ ନେଇ ବାରିପଦା ଷ୍ଟାଡିୟମଠାରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ହେବ। ମାର୍ଚ୍ଚ ୨ ଓ ୩ରେ ରାଇରଙ୍ଗପୁର ଷ୍ଟାଡିୟମଠାରେ ଫୁଟବଲ ସେମିଫାଇନାଲ ଓ ଫାଇନାଲ ଖେଳ ଏବଂ ମାର୍ଚ୍ଚ ୫ ଓ ୬ରେ କ୍ରିକେଟ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ବାରିପଦା ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ। ଜିଲ୍ଲାର ୨୬ଟି ଯାକ ବ୍ଲକରୁ ୮ଟି ଲେଖାଏଁ ଫୁଟବଲ ଓ କ୍ରିକେଟ ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ, ଜିଲ୍ଲାର ୨ଟି ଏନଏସି ଓ ୨ଟି ମୁନିସିପାଲିଟି ଅଞ୍ଚଳର ଯଥାକ୍ରମେ ୨ଟି ଲେଖାଏଁ ଓ ୪ଟି ଲେଖାଏଁ ଟିମ ଲିଗରେ ଅଂଶ ଗ୍ରହଣ କରିବେ।

ଜିଲ୍ଲାସ୍ତରରେ କ୍ରିକେଟ ପାଇଁ ୧ଟି ମ୍ୟାନ ଅଫ୍ ଦି ମ୍ୟାଚ ଟ୍ରଫି, ଶ୍ରେଷ୍ଠ ବୋଲର, ବ୍ୟାଟସମ୍ୟାନ ଓ ଫିଲଡରଙ୍କୁ ୫ ହଜାର ଟଙ୍କା ଓ ମ୍ୟାନ ଅଫ୍ ଦି ସିରିଜଙ୍କୁ ୧ଟି ହିରୋ ସିବିଜେଡ ଏକ୍ସଟ୍ରିମ ବାଇକ ପୁରସ୍କାର ଦିଆଯାଉଥିବା ବେଳେ, ଚମ୍ପିଆନ ଦଳକୁ ନଗଦ ୧ଲକ୍ଷ ଓ ରନର୍ସ ଅପ୍ ଦଳକୁ ନଗଦ ୫୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯିବ।

ସେହିଭଳି ଫୁଟବଲ ଖେଳ ନିମନ୍ତେ ଜିଲ୍ଲାସ୍ତରୀୟ ମ୍ୟାନ ଅଫ ଦି ମ୍ୟାଚ ଶ୍ରେଷ୍ଠ ଷ୍ଟ୍ରାଇକର ଓ ଗୋଲକିପରକୁ ୫ ହଜାର ଟଙ୍କା ଲେଖାଏଁ, ମ୍ୟାନ ଅଫ୍ ଦି ସିରିଜଙ୍କୁ ୧ଟି ହିରୋ ସିବିଜେଡ ଏକ୍ସଟ୍ରିମ ବାଇକ ଦିଆଯିବ। ଚମ୍ପିଆନ ଦଳକୁ ନଗଦ ୧ଲକ୍ଷ ଓ ରନର୍ସ ଅପ୍ ଦଳକୁ ନଗଦ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଜଣାଯାଇଛି।