ମନ୍ତ୍ରୀଙ୍କ ସେତୁ ଉଦଘାଟନକୁ ମାହାଙ୍ଗା ବିଜେପିର ବିରୋଧ; ଥାନା ସମ୍ମୁଖରେ ଧାରଣା

କୁଆଁପାଳ,ଏନ୍ଏନ୍ଏସ୍: ଆଜି ମାହାଙ୍ଗା ବ୍ଲକର କୁସୁପୁର ପଞ୍ଚାୟତ ବିରୂପା ନଦୀ ଉପରେ ନବ ନିର୍ମିତ ସେତୁର ଉଦଘାଟନ ହୋଇଯାଇଛି। ଏହାକୁ ଆଇନ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଛନ୍ତି। ଶ୍ରୀ ଜେନାଙ୍କୁ ପୂର୍ତ୍ତ ବିଭାଗ ଅତିଥି କରିଥିବାରୁ ମାହାଙ୍ଗା ବିଜେପି ତରଫରୁ ଦୃଢ଼ ବିରୋଧ କରାଯିବା ସହିତ ମାହାଙ୍ଗା ଥାନା ସମ୍ମୁଖରେ ଧାରଣା ଦିଆଯାଇଛି। ଏଥିରେ ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ଯାଜ୍ଞସେନୀ ଜେନା, ପୂର୍ବତନ ସମିତି ସଭ୍ୟ ତଥା ବିଜେପି ନେତା ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ୪୦ ନଂ ଜୋନ୍ ସଭାପତି ଋଷି କୁମାର ରାଉତ, ୪୨ ନଂ ଜୋନ୍ ସଭାପତି ଭକ୍ତ ଚରଣ ସ୍ୱାଇଁ, ୩୯ ନଂ ଜୋନ୍ ସଭାପତି ଅରୁଣ କୁମାର ସେଠୀ, ୪୧ ନଂ ଜୋନର ସଭାପତି ନିର୍ମଳ ରାଉତ ଓ ମହିଳା ସଭାପତି ମମତା ନାଥ ଶର୍ମା, ରଞ୍ଜିତା ବିଶ୍ୱାଳ ପ୍ରମୁଖ ଯୋଗଦେଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ସେତୁ ଉଦଘାଟନକୁ ବିରୋଧ କରିଥିଲେ।

ତେବେ ଶ୍ରୀ ଜେନାଙ୍କ ବିରୋଧରେ ହତ୍ୟା ଅଭିଯୋଗ ରହିଥିବା ବେଳେ ତାଙ୍କୁ କିଭଳି ଭାବରେ ଅତିଥି କରାଗଲା ସେ ନେଇ ପ୍ରଶ୍ନ କରିବା ସହିତ ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବି କରିଥିଲେ। ଏହି ପରିପ୍ରେକ୍ଷୀରେ ବିଜେପି କର୍ମୀ ଓ ନେତାମାନେ ମୁହଁରେ କଳା କପଡ଼ା ବାନ୍ଧି ହାତରେ ପ୍ଲାଏ କାର୍ଡ ଧରି ମାହାଙ୍ଗା ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଏଥିସହିତ ଡିଜିପିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଏସଡିପିଓଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।