ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଡା. ୱାଇ ବିଜୟଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି। ଗତ ୧୬ ତାରିଖରେ ଏହି ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଚାଷୀଙ୍କ ଧାନ କ୍ରୟ କରିବା ନେଇ ଆଲୋଚନା କରିଥିଲେ। କିନ୍ତୁ କୌଣସି ସୁଫଳ ନମିଳିବାରୁ ପୁଣି ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ନିକଟରେ ପହଁଚି ସୋମବାରଠାରୁ ଯଦି ଧାନ କ୍ରୟ କରାନଯିବ ତେବେ ଆସନ୍ତା ମଙ୍ଗଳବାର ବିଜେପି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି। ଜିଲ୍ଲାର ୬୫ଟି ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନ ପଡ଼ି ରହିଥିବାବେଳେ ଚାଷୀ ମଣ୍ଡିରେ ଧାନ ଗଦା କରି ଶୀତ କାକରରେ ଦିନ ରାତି ଜଗି ରହିଛି। କୌଣସି ମୁହୁର୍ତ୍ତରେ କିଛି ବି ଘଟିଗଲେ ଚାଷୀର ବର୍ଷକର ପରିଶ୍ରମ ବୃଥା ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ତେବେ ଚାଷୀଙ୍କ ଧାନକୁ ତୁରନ୍ତ ଉଠାଇବା ନେଇ ବିଜେପି ଦାବି କରିଛି। ପୁଣି ବିଜେପିର ପ୍ରତିନିଧୀ ଦଳ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ମଧ୍ୟ ଦାବି ଜଣାଇଛନ୍ତି। ତେବେ ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥଙ୍କୁ ପଚରାଯିବାରୁ ସେ ସୋମବାରଠାରୁ ଯେଉଁମାନେ ଆଦୌ ଧାନ ବିକ୍ରି କରିନାହାନ୍ତି ସେମାନଙ୍କଠାରୁ କ୍ରୟ ଆରମ୍ଭ ହେବ ବୋଲି କହିଛନ୍ତି। ପରେ ଟାର୍ଗେଟ୍ ଆସିଲେ ପୁଣି ଧାନ କ୍ରୟ କରାଯିବ ବୋଲି କହିଛନ୍ତି।