ଦିଲ୍ଲୀ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ ‘ଜୈଶ-ଉଲ-ହିନ୍ଦ୍’

ନୂଆଦିଲ୍ଲୀ: ଦିଲ୍ଲୀ ଇସ୍ରାଏଲ ଦୂତବାସ ବାହାରେ ହୋଇଥିବା ବିସ୍ଫୋରଣର ଯାଞ୍ଚରେ ନୂଆ ଦିଗ ସାମ୍ନାକୁ ଆସିଛି। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍, କ୍ରାଇମବ୍ରାଞ୍ଚ ଓ ଏନଆଇ ଟିମ୍ ଯାଞ୍ଚ ଜାରି ରଖିଛି। ଏହି ସମୟରେ ‘ଜୈଶ-ଉଲ-ହିନ୍ଦ୍’ ନାମକ ସଂଗଠନ ବିସ୍ଫୋରଣ ଘଟାଇବାର ଦୋଷ ନିଜ ମୁଣ୍ଡରେ ନେଇଛି। କିନ୍ତୁ ଏହା କେଉଁ ପ୍ରକାର ସଂଗଠନ ଓ ଏହାର ଲିଙ୍କ କାହା ସହିତ ଜଡ଼ିତ ଅଛି ଏନେଇ ଯାଞ୍ଚ ଏଜେନ୍ସି ପାଖରେ କୌଣସି ଖବର ନାହିଁ।

ଇସ୍ରାଏଲ ଦୂତବାସ ବାହାରେ ଘଟିଥିବା ଏହି ଘଟଣାରେ ଇରାନୀ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳୀରୁ ଯାଞ୍ଚ ଏଜେନ୍ସିକୁ ଏକ ଚିଠି ମିଳିଛି ଯେଉଁଥିରେ ଏହା କେବଳ ଟ୍ରେଲର ଥିଲା ବୋଲି ଲେଖାଯାଇଛି। ସୈନ୍ୟ କମାଣ୍ଡର ଜେନେରାଲ କାସିମ ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ମଧ୍ୟ ଲେଖାଯାଇଛି।