ଅଷ୍ଟ୍ରେଲୀୟ ଟି-୨୦ ଦଳରେ ସାମିଲ ହେଲେ ଭାରତୀୟ କ୍ୟାବ ଡ୍ରାଇଭରଙ୍କ ପୁଅ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତ କରିବାକୁ ଯାଉଥିବା ଅଷ୍ଟ୍ରେଲିଆ କ୍ରିକେଟ ଟିମର ଟି-୨୦ ସ୍କ୍ୱାଡର ଜଣେ ନୂଆ ଚେହେରା ସାମିଲ ହୋଇଛନ୍ତି। ୧୯ ବର୍ଷୀୟ ଲେଗ ସ୍ପିନର ତନବୀର ସଂଘାଙ୍କୁ ଅଷ୍ଟ୍ରେଲୀୟ ଟି-୨୦ ଟିମରେ ଡେବ୍ୟୁ କରିବାର ସୁଯୋଗ ମିଳିଛି।
ବିଗ ବେଶ ଲିଗରେ ସିଡନୀ ଥଣ୍ଡର ଲାଗି ଶାନଦାର ପ୍ରଦର୍ଶନ ବଳରେ ଅଷ୍ଟ୍ରେଲୀୟ ଟିମରେ ତନବୀର ସ୍ଥାନ ପାଇଛନ୍ତି।

ତନବୀରଙ୍କ ପିତା ଯୋଗା ସିଂହ ସଂଘା ମୂଳ ରୂପରେ ଜଲନ୍ଧର ବାସିନ୍ଦା ଯିଏକି ୧୯୯୭ରେ ଛାତ୍ର ଭିସା ଜରିଆରେ ଭାରତରୁ ଅଷ୍ଟ୍ରେଲିଆ ଯାଇଥିଲେ। ସେଠାରେ କିଛି ସମୟ ଚାଷ କରିବା ପରେ ଟେକ୍ସି ଚଲାଇବା ଆରମ୍ଭ କରିଥିଲେ। ତନବୀରଙ୍କ ମାତା ଉପନୀତ ପେଶାରେ ଆକାଉଣ୍ଟାଣ୍ଟ।

ତନବୀରଙ୍କ ବ୍ୟତୀତ ଅନେକ ଭାରତୀୟ ମୂଳବାସୀ କ୍ରିକେଟର ଜେସନ ସଂଘା, ଅର୍ଜୁନ ନାୟର, ପରମ ଉପ୍ପଲ ଅଷ୍ଟ୍ରେଲିଆ ଲାଗି ଅଣ୍ଡର-୧୯ ସ୍ତରରେ କ୍ରିକେଟ ଖେଳି ସାରିଛନ୍ତି। କିନ୍ତୁ ଗୁରନ୍ଦର ସିନ୍ଧୁଙ୍କ ପରେ ତନବୀର ଏକମାତ୍ର ଏମିତି ଖେଳାଳି ଯାହାଙ୍କୁ ଅଷ୍ଟ୍ରେିଆ ଲାଗି ଅନ୍ତରାଷ୍ଟ୍ରୀୟସ୍ତରରେ ଡେବ୍ୟୁ କରିବାର ସୁଯୋଗ ମିଳିଛି।

ଟାଇମ୍ସ ଅଫ୍ ଇଣ୍ଡିଆ ସହ ଏକ ଆଲୋଚନାରେ ତନବୀର କହିଛନ୍ତି ଯେ, ‘ଯେତେବେଳେ ମୋତେ କଲ୍ ଆସିଲା ମୁଁ ଖୁବ୍ ଖୁସି ହୋଇଥିଲି। କିନ୍ତୁ କିଛି ସମୟ ପାଇଁ ବିଶ୍ୱାସ କରିପାରି ନଥିଲି। ଏତେ କମ୍ ବୟସରେ ଟିମରେ ମୋତେ ଚୟନ କରାଯିବ ବୋଲି ମୁଁ କଦାପି ଭାବି ନଥିଲି।’