କରୋନା ଟିକାକୁ ନେଇ ଭାରତକୁ ସଂଯୁକ୍ତ ରାଷ୍ଟ୍ରର ପ୍ରଶଂସା

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରେ ଟିକା ଅଭିଯାନ ଆରମ୍ଭ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଦେଶରେ ଏପର୍ଯ୍ୟନ୍ତ ୨୩ ଲକ୍ଷ ୫୫ ହଜାର ଲୋକ କରୋନା ଟିକା ନେଇସାରିଲେଣି। ଏଥିସହିତ ଭାରତ ପଡ଼ୋଶୀ ଦେଶଗୁଡ଼ିକୁ ଟିକା ପଠାଉଛି। ଏନେଇ ସଂଯୁକ୍ତ ରାଷ୍ଟ୍ର ଏକ ବୟାନ ଜାରି କରିଛି। ଭାରତର କରୋନା ଟିକା ଉତ୍ପାଦନ କ୍ଷମତାକୁ ନେଇ ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଆଣ୍ଟୋନିଓ ଗୁଟେରେସ ପ୍ରଶଂସା କରିଛନ୍ତି। ଏନେଇ ସେ କହିଛନ୍ତି କି ସାରା ବିଶ୍ୱରେ କରୋନା ଟିକା ଉତ୍ପାଦନ କ୍ଷମତାରେ ଭାରତ ସବୁଠୁ ଉନ୍ନତ। ଏଥିସହିତ ମତେ ପୂରା ବିଶ୍ୱାସ ଅଛି କି ଗ୍ଲୋବାଲ ଟିକାକରଣ ଅଭିଯାନକୁ ପୂରା କରିବାରେ ଭାରତ ବିଶେଷ ଭୂମିକା ଗ୍ରହଣ କରିବ।

ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକର ୨ଟି କୋଭିଡ ଟିକାକୁ ଭାରତ ମଞ୍ଜୁରି ଦେଇଛି। ଏବଂ ଏହି ଦୁଇ କମ୍ପାନୀ ବିପୁଳ ପରିମାଣରେ କରୋନା ଟିକା ଉତ୍ପାଦନ କରୁଛନ୍ତି। ଏହି ମଧ୍ୟରେ ଭାରତ ଏପର୍ଯ୍ୟନ୍ତ ଅନେକ ରାଷ୍ଟ୍ର (ମାଲଦୀପ୍, ବାଂଲାଦେଶ, ଭୁଟାନ, ନେପାଳ, ମିଆଁମାର, ମରିସସ୍, ଶ୍ରୀଲଙ୍କା, ବ୍ରାଜିଲ, ସେଶଲ୍ସ ଓ ଆଫଗାନିସ୍ତାନ)କୁ ଟିକା ପଠାଇ ସାରିଛି।