ଦେଓଗାଁରେ ପୁଷ ପୁନି ମହୋତ୍ସବ: ଉତ୍ସବ ନାଁରେ ଜୁଆ ଖେଳ

ଦେଓଗାଁ,ଏନ୍ଏନ୍ଏସ୍: ଛେର ଛେର ଛେର, ଛେରାଇ ଘରର ବୁଢ଼ୀ କାହିଁ ଗଲା କୁଡ଼ା ଖାଇ ଖାଇ ଚେରେଇ ହେଲା…… ଦିଅ ଗୋ ମା ଛେର ଛେରା ବୋଲି ଫାଟି ପଡେ ପୁଷ ପୁନି ଦିନ ଗାଁ ଦାଣ୍ଡ। ସକାଳ ପାଇଲା ମାତ୍ରେ ହାତରେ ବ୍ୟାଗ ଗୋଟେ ଧରି ଛୁଆଠୁ ବୁଢା ପର୍ଯ୍ୟନ୍ତ ଘର ଘର ବୁଲି ଛେର ଛେରା (ଚାଉଳ) ମାଗିଥାନ୍ତି। ଏହି ପର୍ବକୁ ଚାଷୀ ପରିବାର ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି। ଆଜିର ଏହି ଆଧୁନିକ ଯୁଗରେ କଳୁଷିତ ହେଉଛି ଏହି ପୁଷ ପୁନି ପରମ୍ପରା। କେବଳ ବିଧି ରକ୍ଷା ପାଇଁ ଗାଁ ଗାଁ’ରେ ପାଳିତ ହେଉଛି ପୁଷ ପୁନି।

ଦେଓଗାଁ ବ୍ଲକର ବିଭିନ୍ନ ଗାଁ’ରେ ପୁଷ ପୁନି ପର୍ବ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡା ପିଠା କରି ପାଖ ପଡ଼ୋସୀଙ୍କୁ ବାଣ୍ଟି ଥାନ୍ତି ଲୋକମାନେ। ଦେଓଗାଁ, ଜରା ସିଂହା, ସାଲେପାଳି, ଗୌଡ଼ଗୋଠ, ବନ୍ଧପଡ଼ା, ଉପରଝର ଅଞ୍ଚଳରେ ଗୁରୁବାର ସକାଳେ ଛୋଟ ଛୋଟ ଶିଶୁମାନେ ଘର ଘର ବୁଲି ଛେର ଛେରା ମାଗୁଥିବା ଦେଖାଯାଇଛି। ଏଥିସହ ଅପରାହ୍ଣରେ କୁଳିଆ ବାହାଲରେ ହୋଇଥିବା ରାମ ମନ୍ଦିରରେ ପୁଷ୍ପଭିଷେକ କରାଯାଇଥିଲା। ପରେ ଉତ୍ସବରେ ଜୁଆ ଖେଳାଯାଉଥିବା ଦେଖିବାକୁ ମିଳିଛି।

ଚାଷୀ ଚାଷ ଆରମ୍ଭରେ ନୁଆଁ ଖାଇ ପାଳନ କରୁଥିବା ବେଳେ ଚାଷ ଅମଳ ସରିଲେ ପୌଷ ପୂର୍ଣ୍ଣମୀ ଦିନ ପୁଷ ପୁନି ପାଳନ କରିଥାଏ। ଏପରିକି ଦେଓଗାଁ ବ୍ଲକର କିଛି ଗାଁ’ରେ ଗୋଟିଏ ଦିନ ରାମ ଚନ୍ଦ୍ର ପ୍ରଭୁଙ୍କ ପୁଷ୍ପାଭିଷେକ ରଥଯାତ୍ରା ଆୟୋଜନ କରିଥାନ୍ତି ଗାଁ ଲୋକମାନେ। ଏହି ରଥଯାତ୍ରା କରିବାର ମୂଳ ଉଦ୍ଦେଶ୍ୟ ହେଉଛି ପରମ୍ପରା ନାଁରେ ଗାଁ ଦାଣ୍ଡରେ ଜୁଆ ଖେଳ ଆୟୋଜନ କରିବା। ଗାଁ’ର କିିଛି କୁଜି ନେତା ବା ଅସାମାଜିକ ବ୍ୟକ୍ତି ଏହାର ନେତୃତ୍ୱ ନେଇ ପୁଲିସ ସହ ଶଲା ସୁତୁରା କରିଥାନ୍ତି।