ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା କଣ୍ଟାପାଲି ପଞ୍ଚାୟତସ୍ଥିତ ଲହଣ୍ଡାବୁଡ଼ଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଆଜି ହରିଓମ ଗ୍ରାମାଞ୍ଚଳ ପାର୍କର ଉଦଘାଟନ କରିଛନ୍ତି। ଏଥିରେ ସମ୍ମାନୀୟ ଅତିଥିଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀ ତପିରାମ ମାଝୀ, ବ୍ଲକ ଚେୟାରମ୍ୟାନ ଦିଗାମ୍ବର ଭୋଇ, ବିଡିଓ ପ୍ରସନ୍ନ ପାଣ୍ଡେ, ସରପଞ୍ଚ କାଞ୍ଚନ ଖଡ଼ିଆ ଓ ସମିତି ସଭ୍ୟ ଯାଜ୍ଞସେନି ଆଡ଼େ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଗ୍ରାମାଞ୍ଚଳ ପାର୍କକୁ ମନରେଗା ପାଣ୍ଠିରୁ ୨୪ ଲକ୍ଷ, ଜିଲ୍ଲା ସିଏସଆର ପାଣ୍ଠିରୁ ୧୦ଲକ୍ଷ, ରାଜ୍ୟ ଫାଇନାନ୍ସ ପଞ୍ଚାୟତ ଫଣ୍ଡରୁ ୧୦ ଲକ୍ଷ ସହ ମୋଟ ୪୪ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ କରାଯାଇଛି। ପାର୍କ ଉଦଘାଟନ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଯେ, ଏପରି ଜିଲ୍ଲାରେ ଆହୁରି ମଧ୍ୟ ଗ୍ରାମାଞ୍ଚଳ ପାର୍କ ତିଆରି ହେବ। ଏହି ପାର୍କ ତିଆରି ହେବା ଫଳରେ ଗ୍ରାମାଞ୍ଚଳର ବାତାବରଣ ଆହୁରି ପରିଷ୍କାର ହେବାସହ ଏଠାରେ ଥିବା ବୃକ୍ଷଲତାର ଅଧିକ ଯତ୍ନ ନିଆଯାଇ ପାରିବ। ଏହି ପାର୍କରେ ଆଖପାଖ ଗ୍ରାମର ସମସ୍ତ ବର୍ଗର ବ୍ୟକ୍ତି ବିଚରଣ କରିବା ସହ ଚିତବିନୋଦନ କରିପାରିବେ। ପାର୍କକୁ ସୁନ୍ଦର ଓ ସୁରକ୍ଷିତ ରଖିଲେ ଆଗାମୀ ଦିନରେ ଏହା ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକଙ୍କ ପାଇଁ ମଧ୍ୟ ପର୍ଯ୍ୟଟନସ୍ଥଳୀ ହୋଇପାରିବ ବୋଲି ଶ୍ରୀ ଦାସ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।