ବ୍ରଜରାଜନଗରବାସୀଙ୍କ ରେଳରୋକ ଆନ୍ଦୋଳନ: ୪୦ରୁ ଉର୍ଦ୍ଧ ଲୋକଙ୍କୁ ଗିରଫ କଲା ରେଳବାଇ ପୁଲିସ

ଝାରସୁଗୁଡ଼ା,ବ୍ରଜରାଜନଗର,ଏନ୍ଏନ୍ଏସ୍: ବ୍ରଜରାଜନଗର ରେଳ ଷ୍ଟେସନରେ ଉତ୍କଳ ଏକ୍ସପ୍ରେସ ଓ ପୁରୀ ଯୋଧପୁର ଟ୍ରେନର ରହଣୀ ଦାବିରେ ଆଜି ବ୍ରଜରାଜନଗର ନାଗରିକ ମଞ୍ଚର ଆହ୍ୱାନରେ ସ୍ଥାନୀୟ ଲୋକେ ରେଳରୋକ କରି ଆନ୍ଦୋଳନ କରିଛନ୍ତି। ସକାଳ ୧୦ଟାରୁ ସହସ୍ରାଧିକ ସ୍ଥାନୀୟ ଲୋକେ ରେଳ ଧାରଣା ଉପରେ ବସି ରହିବାରୁ ମୁମ୍ବାଇ ହାୱଡା ରେଳଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛିି। ଏହାସହ ରେଳ ଚଳାଚଳ ସ୍ୱାଭାବିକ କରିବା ପାଇଁ ପ୍ରଶାସନ, ରେଳବାଇ କର୍ତୃପକ୍ଷ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଜି ଧାରଣସ୍ଥଳୀରେ ହୋଇଥିବା ଆଲୋଚାନା ବିଫଳ ହେବା ପରେ ସ୍ଥାନୀୟ ଲୋକେ ଆନ୍ଦୋଳନ ଜାରି ରଖିବାରୁ ଖବର ଲେଖାଯିବା ପର୍ଯ୍ୟନ୍ତ ୪୨ଜଣ ଆନ୍ଦୋଳନକାରୀଙ୍କୁ ରେଳବାଇ ପୁଲିସ ଗିରଫ କରିଛି।

ସୂଚନାଯୋଗ୍ୟ, ବ୍ରଜରାଜନଗର ରେଳ ଷ୍ଟେସନରେ ଆଜିଠୁ ପୁରୀ ଯୋଧପୁର ଓ ଉତ୍କଳ ଏସ୍କପ୍ରେସର ରହଣୀକୁ ରେଳବାଇ କର୍ତୃପକ୍ଷ ବାତିଲ କରିଛନ୍ତି। ଆଉ ଏହାକୁ ବିରୋଧ କରି ବ୍ରଜରାଜନଗରବାସୀ ଆନ୍ଦୋଳନ କରିଛନ୍ତି। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ବ୍ରଜରାଜନଗର ମାର୍କେଟ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଆନ୍ଦୋଳନସ୍ଥଳୀକୁ ଝାରସୁଗୁଡ଼ା ଉପଜିଲ୍ଲାପାଳ ଶିବ ଟପ୍ପୋ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ନୃପ ଚରଣ ଡନସନା, ଝାରସୁଗୁଡ଼ା ତହସିଲଦାର ଦିଲ୍ଲୀପ ପ୍ରଧାନ, ରେଲୱେ ପୁଲିସ ଫୋର୍ସର ସିନିୟର କମାଣ୍ଡେଣ୍ଟ ରିଶି କୁମାର ଶୁକ୍ଳା, ଇନ୍ସପେକ୍ଟର ଓ ଜିଆରଏମ ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ। ରେଳବାଇ କର୍ତୃପକ୍ଷ, ସରକାରଙ୍କ ନିଷ୍ପତ୍ତି ଅନୁସାରେ କୋଭିଡ ଯୋଗୁ ଏହି ଟ୍ରେନଗୁଡ଼ିକର ରହଣୀକୁ ବାତିଲ କରାଯାଇଛି ବୋଲି ଉପଜିଲ୍ଲାପାଳ ଶିବ ଟପ୍ପୋ କହିଥିଲେ। ଏଣୁ ଲୋକେ ପ୍ରଶାସନ ଓ ରେଳବାଇକୁ ସହଯୋଗ କରି ଆନ୍ଦୋଳନରୁ ଓହରିଯାଆନ୍ତୁ। ଅନ୍ୟପଟେ ଉତ୍କଳ ଏକ୍ସପ୍ରେସ ଓ ପୁରୀ ଯୋଧପୁରର ବ୍ରଜରାଜନଗରରେ ରହଣୀ ଦିଆନଯିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି। ଆରପିଏଫ ପୁଲିସ ଆନ୍ଦୋଳନକାରୀଙ୍କୁ ଅପରାହ୍ଣରେ ଗିରଫ କରବା ପରେ ମୁମ୍ବାଇ ହାୱଡା ଲାଇନରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା।