ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଚଳିତ ଖରିଫରେ ଧାନ ବିକ୍ରି ପାଇଁ ସରକାର ଖୋଲିଥିବା ମଣ୍ଡିଗୁଡ଼ିକରେ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଫଳରେ ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନକୁ ମଣ୍ଡି ଆଗରେ ରଖି ଶୀତ କଷ୍ଟରେ ଧାନ ବିକ୍ରି ପାଳିକୁ ଅପେକ୍ଷା ରହିଛି। ମାତ୍ର ଯୋଗାଣ ବିଭାଗ କର୍ତ୍ତୃପକ୍ଷ ଚାଷୀଙ୍କ ସମସ୍ୟାର ସମାଧାନ ପ୍ରତି କୌଣସି ଆଗ୍ରହ ପ୍ରକାଶ କରୁନଥିବା ଅଭିଯୋଗ କରି ଆଜି ରିଆମାଳ ବ୍ଲକ ପଲସମା ସେବା ସମବାୟ ସମିତି ଅନ୍ତର୍ଗତ ପଲସମା, କରଲଗା, କଣ୍ଟାବାହାଲ, ଉଟୁଣିଆ ଓ ବାଘବର ଆଦି ୫ଟି ପଂଚାୟତର ବହୁସଂଖ୍ୟକ ଚାଷୀ ଦେବଗଡ଼ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ୟ୍ୟାଳୟକୁ ଘେରାଉ କରି ହୋହାଲ୍ଲା କରିଥିଲେ। ଅନୁରୂପଭାବେ ନାଉଲିପଡ଼ା ସେବା ସମବାୟ ସମିତି ଅଧିନସ୍ଥ ୫ଟି ପଂଚାୟତ, ନୂଆଡ଼ିହି ସେବା ସମବାୟ ସମିତି ଅଧିନସ୍ଥ ୨ଟି ପଂଚାୟତ ଓ ତାରଙ୍ଗ ସେବା ସମବାୟ ସମିତି ଅଧିନସ୍ଥ ୩ଟି ପଂଚାୟତର ଚାଷୀ ଯୋଗାଣ ବିଭାଗ କାର୍ୟ୍ୟାଳୟରେ ପହଂଚି ଶୀଘ୍ର ଚାଷୀଙ୍କ ଧାନ ଉଠାଇବାକୁ ଦାବୀ କରିଥିଲେ। ଜିଲ୍ଲା ମୁଖ୍ୟାଳୟରେ ରିଆମାଳ ବ୍ଲକର ଚାଷୀମାନେ ଜିଲ୍ଲା ଯୋଗାଣ ବିଭାଗ କାର୍ୟ୍ୟାଳୟରେ ପହଂଚି ଦାବି ଜଣାଉଥିବା ସୂଚନା ପାଇ ଜିଲ୍ଲା କୃଷକ ସଂଘ ସଭାପତି ପ୍ରମୋଦ କୁମାର ଝାଙ୍କର ଉକ୍ତ ସ୍ଥାନରେ ପହଂଚିଥିଲେ। ଝାଙ୍କର ଉତ୍ତ୍ୟକ୍ତ ଚାଷୀଙ୍କୁ ସମବେଦନା ଜଣାଇବାକୁ ଆସିଥିବାବେଳେ ଉପସ୍ଥିତ ଚାଷୀମାନେ ସେମାନଙ୍କ କ୍ଷୋଭ ଶ୍ରୀ ଝାଙ୍କରଙ୍କଠାରେ ପ୍ରକାଶ କରିଥିଲେ। ଚାଷୀଙ୍କ ସମାଗମକୁ ଦେଖି କାର୍ୟ୍ୟାଳୟରେ ଅନୁପସ୍ଥିତ ଥିବା ଜିଲ୍ଲା ଯୋଗାଣ ଅଧିକାରୀ ଗଣେଶ୍ୱର ଚୌଧୁରୀ କିଛି ସମୟ ମଧ୍ୟରେ କାର୍ୟ୍ୟାଳୟରେ ପହଂଚି ଚାଷୀଙ୍କୁ ବୁଝାସୁଝା କରିଥିଲେ। ଆଉ ସମବାୟ ସମିତିର ସହକାରୀ ନିବନ୍ଧକ ନିମାଇଁ ଚରଣ ନାୟକଙ୍କୁ ଉକ୍ତ ସ୍ଥାନରେ ଡକାଇ ଚାଷୀଙ୍କ ସହ ଆଲୋଚନା କରି ଆଗାମୀ ୪୮ ଘଣ୍ଟା ମଧ୍ୟରେ ମଣ୍ଡିରୁ ଧାନ ଉଠାଯାଇ ଧାନ କିଣାଯିବାର ପ୍ରତିଶ୍ର୍ରୁତି ଦେବା ପରେ ଉତକ୍ଷିପ୍ତ ଚାଷୀମାନେ ଶାନ୍ତ ହୋଇଥିଲେ। ଏହାସହ ବିଭାଗ ପ୍ରତିଶ୍ର୍ରୁତିରୁ ଓହରିଲେ ଚାଷୀକୁଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।