ନୂଆଦିଲ୍ଲୀ,ଏଜେନ୍ସି: ଆଜି ବହୁ ଉତ୍ସାହର ସହିତ ଭାରତ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜପଥରେ ପହଞ୍ଚି ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି। ଏହା ପରେ ୨୧ ତୋପ ସଲାମି ସହିତ ରାଷ୍ଟ୍ର ସଂଗୀତ ଗାନ କରାଯାଇଥିଲା।
କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ କୌଣସି ମୁଖ୍ୟ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇ ନାହିଁ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହିଦ ସ୍ମାରକୀକୁ ଯାଇ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି ଓ ଭାରତର ପ୍ରଥମ ମହିଳ ଉପସ୍ଥିତ ଥିଲେ। ଏହା ପରେ ହେଲିକପ୍ଟର ଦ୍ୱାରା ପରେଡ କାର୍ଯ୍ୟର ଆରମ୍ଭ ହୋଇଥିଲା।
ଗଣତନ୍ତ୍ର ଦିବସ ପରେଡ ଅବସରରେ ଆଜି ଭାରତ ପ୍ରଥମ ଥର ରାଫେଲ ଲଢୁଆ ବିମାନ ସହିତ ଟି-୯୦ ଟ୍ୟାଙ୍କ, ଇଲେକଟ୍ରୋନିକ ଯୁଦ୍ଧକ ପ୍ରଣାଳୀ, ସୁଖୋଇ-୩୦ ଏମକେଆଇ ଲଢୁଆ ବିମାନ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।

-ପରେଡ ଆରମ୍ଭରେ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ (ଏନଏସଜି)ର ଏକ ଦଳ ରାଜପଥରେ ପରେଡ ମାର୍ଚ୍ଚ କରିଥିଲେ। ସେମାନଙ୍କୁ ବ୍ଲାକ୍ କୋଟ୍ କମାଣ୍ଡୋ ମଧ୍ୟ କୁହାଯାଇଥାଏ। ୧୯୮୪ରେ ଏହି ସୁରକ୍ଷାବଳର ଗଠନ ହୋଇଥିଲା।

-ସିଆରପିଏଫର ବ୍ୟାଣ୍ଡର ଏକ ଦଳ ପରେଡ କରିଛନ୍ତି। ଇନସପେକ୍ଟର ଶମଶେର ଲାଲ ବ୍ୟାଣ୍ଡର ନେତୃତ୍ୱ କରିଛନ୍ତି।

-ଗଣତନ୍ତ୍ର ଦିବସ ଅବସରରେ ରାଜପଥରେ ଗଡବାଲ ରାଇଫଲ ଦଳ ପରେଡ ମାର୍ଚ୍ଚ କରିଛନ୍ତି। ୧୭ ବାଟାଲିୟନର କ୍ୟାପଟେନ ରାଜପୁତ ସୌରଭ ସିଂହଙ୍କ ନେତୃତ୍ୱରେ ଏହି ପରେଡ ଅନୁଷ୍ଠିତ ହୋଇଛି।
-ପରେ ରାଜପଥରେ ଭାରତୀୟ ବାୟୁସେନାର ଏକ ଝାଙ୍କି ପ୍ରଦର୍ଶିତ କରାଯାଇଛି।


