ନୂଆଦିଲ୍ଲୀ: ଭାରତରେ ୭ ମାସ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାରରୁ କମ୍ ଆସିଛି। ଗତ ୨୪ ଘଣ୍ଟାରେ ୯ହଜାର ୧୦୨ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ୧୧୭ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୧୫ ହଜାର ୯୦୧ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬ଲକ୍ଷ ୭୬ ହଜାର ୮୩୮କୁ ବୃଦ୍ଧି ପାଇଛି। ଅନ୍ୟପଟେ ୧ଲକ୍ଷ ୫୩ ହଜାର ୫୮୭ ଜଣ ପ୍ରାଣ ହରାଇଛନ୍ତି ଓ ୧କୋଟି ୩ଲକ୍ଷ ୪୫ ହଜାର ୪୫ ଲୋକ ସୁସ୍ଥ ହୋଇଛନ୍ତି। ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଖସି ୧ଲକ୍ଷ ୭୭ ହଜାର ହୋଇଯାଇଛି।
ସୂଚନାଯୋଗ୍ୟ, ଦେଶରେ ଜାନୁଆରୀ ୧୬ରୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୦ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ ୱାର୍କର୍ସ ଟିକା ନେଇ ସାରିଲେଣି। ସେଥିମଧ୍ୟରୁ ୩୪୮ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଗତକାଲି ୪ଲକ୍ଷ ୮ହଜାର ୩୦୫ଜଣ ଟିକା ଲଗାଇଛନ୍ତି। କର୍ଣ୍ଣାଟକରେ ସର୍ବାଧିକ ଲୋକ ଟିକା ନେଇଥିବା ଜଣାପଡ଼ିଛି।