ଆଜିଠୁ ବିନା ରିପୋର୍ଟରେ ଜଗା ଦର୍ଶନ, ଉଠିଲା କୋଭିଡ୍ ରିପୋର୍ଟ କଟକଣା

ପୁରୀ,ଏନ୍ଏନ୍ଏସ୍: ଆଜିଠୁ ଶ୍ରୀମନ୍ଦିରରୁ ଉଠିଲା କୋଭିଡ୍ ରିପୋର୍ଟ କଟକଣା। ବିନା କରୋନା ରିପୋର୍ଟରେ ଭକ୍ତ କରିପାରିବେ ମହାପ୍ରଭୁଙ୍କୁ ଦର୍ଶନ। ଦୀର୍ଘ ୯ ମାସ ପରେ ଶ୍ରୀମନ୍ଦିର ଖୋଲିବା ପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ସବୁଠାରୁ ବଡ ବାଧକ ସାଜିଥିଲା କୋଭିଡ୍ ରିପୋର୍ଟ କଟକଣା। ଯାହାକୁ ନେଇ ମହାପ୍ରଭୁଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ ଭକ୍ତ।

ତେବେ ଆଜିଠୁ ବହୁ ବାଦ ବିବାଦ ପରେ ଏହି କଟକଣାକୁ ଉଠାଇ ଦିଆଯାଇଛି। ଆଜି ଠାରୁ ବିନା କୋଭିଡ୍ ନେଗେଟିଭ ରିପୋର୍ଟରେ ବି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ। କେବଳ କରୋନା ରିପୋର୍ଟ କଟକଣାକୁ ଉଠାଇ ଦିଆଯାଇଛି, ହେଲେ ଅନ୍ୟ ସବୁ କରୋନା କଟକଣା ପୂର୍ବ ଭଳି କଡା କଡି ଭାବରେ ପାଳନ କରାଯାଉଛି। ମନ୍ଦିର ଭିତରେ ସାମାଜିକ ଦୂରତା ବଜାୟ ରଖିବା ଓ ମାସ୍କ ପିନ୍ଧିବା ଭଳି ନିୟମକୁ ବାଧ୍ୟତାମୂଳକ କରାଯାଇଛି।

ଆଜି ସକାଳ ୬ ଟାରୁ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲିଥିବା ବେଳେ ପ୍ରଥମ ଏକ ଘଣ୍ଟା କେବଳ ପୁରୀ ବାସୀଙ୍କ ପାଇଁ ଦର୍ଶନ ଅନୁମତି ରହିଥିଲା, ଏହାପରେ ସକାଳ ୭ ଟାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିରରେ ସର୍ବ ସାଧାରଣ ଦର୍ଶନ।

ପୂର୍ବ ଭଳି ସଂକ୍ରମଣକୁ ଦୃଷ୍ଟିରେ ରଖି ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦର୍ଶନ ପାଇଁ ବଡଦାଣ୍ଡ ମାର୍କେଟ ଛକରୁ ଶ୍ରୀମନ୍ଦିର ମୁଖ୍ୟ ଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ଏଥି ସହିତ ପ୍ରତିଦିନ ୩୦ ହଜାର ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି। ଦର୍ଶନ ପୂର୍ବରୁ ସିଂହଦ୍ୱାର ଥର୍ମାଲ୍ ସ୍କାନିଂକୁ ବିଶେଷ ଗୁରୁତ୍ୱ ଦିଆଯାଉଛି।

ଥର୍ମାଲ୍ ସ୍କ୍ରିନିଂ ସମୟରେ ଶରୀରରେ ତାପମାତ୍ରା ୧୦୦ ଡିଗ୍ରୀ ଉପରକୁ ଥିଲେ ସେହି ବ୍ୟକ୍ତି ମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ବାରଣ କରାଯିବା ସହିତ ମେଡିକାଲ ଯିବା ପାଇଁ ପରାମର୍ଶ ଦିଆଯିବ।