ଭାରତୀୟ କୋଭିଡ ଟିକା ଗ୍ରହଣ କରିବା ପରେ ଭୁଟାନ କହିଲା- ବିଶ୍ୱସ୍ତ ବନ୍ଧୁଙ୍କଠୁ ଉପହାର

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଉତ୍ପାଦିତ ହୋଇଥିବା କୋଭିଡ-୧୯ ଟିକା ଭୁଟାନରେ ପହଞ୍ଚିଛି। ପ୍ରଥମ ବିଦେଶୀ ରାଷ୍ଟ୍ର ଭାବେ ଭାରତୀୟ କରୋନା ଟିକା ବୁଧବାର ଗ୍ରହଣ କରିବା ପରେ ଭୁଟାନ ଉତ୍ସାହିତ ହୋଇଯାଇଛି। ନିଜର ପ୍ରତିକ୍ରିୟାରେ ଭୁଟାନ କହିଛି, ବିଶ୍ୱସ୍ତ ବନ୍ଧୁ ରାଷ୍ଟ୍ରରୁ ଉପହାର ସ୍ୱରୂପ ଟିକା ମିଳିଛି।

ସୂଚନାଯୋଗ୍ୟ ଯେ, ଭାରତ ବୁଧବାର ଭାରତୀୟ ବାୟୁସେନାର ବିମାନ ଏଏନ୍‌-୩୨ ମାଧ୍ୟମରେ ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧ ଲକ୍ଷ ୫୦ ହଜାର ଡୋଜ କରୋନା ଟିକା ଭୁଟାନକୁ ପଠାଇଛି। ଟିକା ଗ୍ରହଣ କରିବା ପରେ ଭୁଟାନ ପ୍ରଧାନମନ୍ତ୍ରୀ ଡ. ଲୋଟୟ ଥେରସିଂ ଭାରତକୁ ଧନ୍ୟବାଦ ଜଣାଇଛନ୍ତି।

ଭୂଟାନ ପ୍ରଧାନମନ୍ତ୍ରୀ ଲୋଟୟ କହିଛନ୍ତି, କରୋନା ଭାଇରସ ମହାମାରୀକୁ ମୁକାବିଲା କରିବା ପାଇଁ ଆମେ କରୋନା ଟିକା ଗ୍ରହଣ କରିଛୁ। ମାନବିକତା ଗୁଣ ଯୋଗୁଁ ଆମେ ଭାରତର ପ୍ରଧାନମନ୍ତ୍ରୀ ଓ ଭାରତର ଲୋକଙ୍କୁ ଧନ୍ୟବାଦ ଜଣାଉଛୁ। କରୋନା ସଂକଟ ସମୟରେ ଭାରତ ଅତ୍ୟାବଶ୍ୟକ ସାମଗ୍ରୀ ରପ୍ତାନି କରିଛି। ନିଜର ଚାହିଦା ପୂରଣ ହୋଇ ସାରି ନଥିଲେ ଭାରତ ବିଦେଶକୁ ଟିକା ରପ୍ତାନି କରିଛି।