ରାୟଗଡ଼ା,ଏନ୍ଏନ୍ଏସ୍: ଗୌତମ ନଗର ଷଷ୍ଠ ଲାଇନରେ ରହୁଥିବା ଲିଙ୍ଗରାଜ ଲେଙ୍କାଙ୍କ ଘରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ କରିଛି ରାୟଗଡ଼ା ପୁଲିସ। ଏଥିସହ ୨୦ ହଜାର ଟଙ୍କା ସହ ଗୋଟିଏ ସୁନାର ନେକଲେସ ଏବଂ ଗୋଟିଏ ଯୋଡା କାନ ଫୁଲ ଉଦ୍ଧାର କରିଛି ପୁଲିସ। ଏନେଇ ରାୟଗଡ଼ା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ସୂଚନା ଦେଇଛନ୍ତି। ୨୭ ଡିସେମ୍ବର ୨୦୨୦ରେ ଲିଙ୍ଗରାଜ ଲେଙ୍କା ତାଙ୍କ ପରିବାର ସହ ନିଜ ପୈତୃକ ଗ୍ରାମକୁ ଯାଇଥିଲେ। ୭ ଜାନୁଆରୀରେ ଘରକୁ ଫେରିବା ପରେ ଘରର ମୁଖ୍ୟ ଦ୍ୱାରର ତାଲ ଭଙ୍ଗାଯାଇଥିବା ସହ ଆସବାବ ପତ୍ର ଗୁଡିକ ଏଣେତେଣେ ପଡିଥିବା ଦେଖିବାକୁ ପାଇଥିଲେ।
ଏ ସମ୍ପର୍କରେ ଲିଙ୍ଗରାଜଙ୍କ ପୁଅ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏସପି ଶ୍ରୀ ଶର୍ମା ନିଜେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ସନ୍ଧାନୀ କୁକୁରର ସହାୟତା ନିଆଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ୧୩ ଦିନ ପରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ରାୟଗଡ଼ା ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ୨୦ ହଜାର ଟଙ୍କା ସହ ଚୋରି ହୋଇଥିବା ସୁନାର ଗହଣାକୁ ଜବତ କରିଛି। ଏଥିସହ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଗୋଟିଏ ପଲସର ମୋଟର ସାଇକେଲ ଏବଂ ଟିଭିଏସ ମୋଟର ସାଇକେଲକ ଜବତ କରିଛି ପୁଲିସ। ଗିରଫ ହୋଇଥିବା ୨ ଅଭିଯୁକ୍ତମାନେ ପୂର୍ବରୁ ମଧ୍ୟ ବହୁ ଚୋରି ମାମଲାରେ ସମ୍ପୃକ୍ତ ଅଛନ୍ତି।
ଏଥିସହ ଅଭିଯୁକ୍ତମାନେ ରାୟଗଡ଼ା ଜିଲ୍ଲା ବ୍ୟତୀତ ପଡୋଶୀ ଜିଲ୍ଲା ଗୁଡିକରେ ହୋଇଥିବା କେତେକ ଲୁଟ୍ ଘଟଣାରେ ସମ୍ପୃକ୍ତ ଅଛନ୍ତି। ଜଗତସିଂହପୁର ଜିଲ୍ଲାରେ ହୋଇଥିବା କେତେକ ଚୋରି ଘଟଣାରେ ମଧ୍ୟ ଗିରଫ ହୋଇଥିବା ୨ ଅଭିଯୁକ୍ତ ସାମିଲ ଥିବା ନେଇ ଏସପି ସୂଚନା ଦେଇଛନ୍ତି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ତପନ ନାରାୟଣ ରଥ, ରାୟଗଡ଼ା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ, ଏସଆଇ ମାନସ ସାହୁ, ଶିବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।