ସୁରଟ୍: ଟ୍ରକ ଚଢ଼ିଯିବାରୁ ୧୫ ଶ୍ରମିକ ମୃତ

ଅହମଦାବାଦ,ଏଜେନ୍ସି: ଗୁଜରାଟର ସୁରଟ୍ ଜିଲ୍ଲା ଅନ୍ତର୍ଗତ କୋସାମ୍ବା ସହରରେ ମଙ୍ଗଳବାର ସକାଳେ ଏକ ଦ୍ରୁତଗାମୀ ଡମ୍ପର ଟ୍ରକ୍ ଚଢିଯିବା ଫଳରେ ୧୫ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୮ ଜଣ ମହିଳା ଓ ଜଣେ ଏକ ବର୍ଷର ଝିଅ ଅନ୍ତର୍ଭୁକ୍ତ। ଏମାନେ ସମସ୍ତେ ରାଜସ୍ଥାନ ବାସିନ୍ଦା ବୋଲି ଜଣାପଡିଛି। ଘଟଣାସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଡାକ୍ତରଖାନାକୁ ଯିବା ରାସ୍ତାରେ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ଆହତ ଅନ୍ୟ ୬ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏକ ଆଖୁ ବୋଝେଇ ଟ୍ରାକ୍ଟର ସହ ଧକ୍କା ହେବାପରେ ଟ୍ରକ୍ ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇ ଫୁଟପାଥ୍ ଉପରେ ଶୋଇଥିବା ଏହି ଶ୍ରମିକଙ୍କ ଉପରେ ଚଢିଯାଇଥିଲା। ପୁଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ପୃଥକ ଭାବେ ପ୍ରତ୍ୟେକ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି। ଏହାବ୍ୟତୀତ ଗୁଜରାଟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।