ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ୍ କାର୍ୟ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଚାଷୀଙ୍କ ଧାନ ବିକ୍ରି ସମସ୍ୟା ନେଇ ସାହାରପଡ଼ା ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ସୂଚନାଯୋଗ୍ୟ ଯେ ସାହାରପଡ଼ା ବ୍ଲକର ୪୦ରୁ ଊର୍ଦ୍ଧ୍ୱ ଚାଷୀ ଟୋକନ ପାଇଥିଲେ ମଧ୍ୟ ଏହାର ଅବଧି ସରିଯାଇଥିବାରୁ ଚାଷୀମାନେ ସରକାରଙ୍କୁ ଧାନ ବିକ୍ରି କରିପାରୁ ନାହାନ୍ତି।
ଚାଷୀମାନେ କିଭଳି ମଣ୍ଡିରେ ଧାନ ବିକ୍ରି କରିବେ ଏବଂ କଟନୀଛଟନିକୁ ନେଇ ଗତ ଜାନୁଆରୀ ୧୫ ତାରିଖରେ ତାଳସରୁଆ ଗ୍ରାମର ଚାଷୀ କୃଷକ ବିଜୟ କୁମାର ମହାନ୍ତଙ୍କୁ ଲ୍ୟାମ୍ପ ପରିସରରେ ଏମଡି ମଧୁସୂଦନ ମହାନ୍ତ ଗୁଣ୍ଡା ଲଗାଇ ମାଡ ମରିଥିଲେ। ଏହାର ପ୍ରତିବାଦରେ ବିଜେପି ତରଫରୁ ଆଜିର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭ ସମାବେଶରେ ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ, ବ୍ଲକ୍ ଅଧ୍ୟକ୍ଷା ରମ୍ଭାବତୀ ଦେହୁରୀ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଗୌତମ ନାଏକ ଓ ବିଜେପି ନେତା ଶିବାଜୀ ଗୌତମ ମହାନ୍ତ ବର୍ମାଙ୍କ ଶହ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ।
ପରେ ବିଜେପି ନେତୃତ୍ୱରେ ବିଡିଓ ଭାଗୀରଥି ମଲ୍ଲିକଙ୍କୁ ଏ ସମ୍ପର୍କିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଚାଷୀଙ୍କ ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ବିଜେପି କର୍ମୀମାନେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ବରିଷ୍ଠ ନେତା ଶିବାଜୀ ଗୌତମ ମହାନ୍ତ ବର୍ମା ଚେତାବନୀ ଦେଇଛନ୍ତି।