ଦେବଗଡ଼,ଏନ୍ଏନ୍ଏସ୍: ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ‘ସହାୟ’ ପକ୍ଷରୁ ଯୋଜନାରେ ଆରୋଗ୍ୟ କୁଷ୍ଠ ପରିବାରଙ୍କ ପାଇଁ ବିଭିନ୍ନ ଉପକରଣ ବଣ୍ଟନ କରାଯାଇଛି। ଏହି ଉପଲକ୍ଷେ ପୂର୍ବାହ୍ନରେ ଦେବଗଡ ସ୍ଥିତ କୁଷ୍ଠାଶ୍ରମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ସିପ୍ରା ସେଠୀ, ଦେବଗଡ ପୌରପାଳିକା ନିର୍ବାହୀ ଅଧିକାରୀ ଅତସି ପରିଡା ଯୋଗଦେଇ ୯ ଜଣ ହିତାଧିକାରୀଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କରିଥିଲେ।
ସେହିଭଳି ଅପରାହ୍ଣରେ ରିଆମାଳ ବ୍ଲକ ସ୍ଥିତ କୁଷ୍ଠାଶ୍ରମରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦା ଯୋଗଦେଇ ୮ ଜଣ ହିତାଧିକାରୀଙ୍କ ପରିବାରଙ୍କୁ ଯୋଜନା ଅନୁଯାୟୀ ବିଭିନ୍ନ ଉପକରଣ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଶଙ୍କର ଜୟପୁରିଆ ଓ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସୁଜନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧୀର କୁମାର ନଇଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ଗୁଡିକରେ ପୌରପାଳିକାର ଗୋଷ୍ଠୀ ସଂଗଠିକା ମୋନାଲିସା ପଣ୍ଡାଙ୍କ ସମେତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଜିଲ୍ଲା ଏବଂ ବ୍ଲକସ୍ତରୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଏହି ସାମଗ୍ରୀ ସହାୟତା ବ୍ୟତୀତ ଆରୋଗ୍ୟ କୁଷ୍ଠ ପରିବାରଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଜୀବିକା ନିର୍ବାହ ନିମନ୍ତେ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନଇ ସୂଚନା ଦେଇଛନ୍ତି ।