ନୂଆଦିଲ୍ଲୀ: ସାଂସଦଙ୍କୁ ଏବେ ସଂସଦ ଭବନ ପରିସରରେ ଥିବା କ୍ୟାଣ୍ଟିନରେ ସବସିଡି ଯୁକ୍ତ ଖାଦ୍ୟ ମିଳିବନି। ଏନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୂଚନା ଦେଇଛନ୍ତି। ବିର୍ଲା କହିଛନ୍ତି ଯେ, ସଂସଦ କ୍ୟାଣ୍ଟିନରେ ସାଂସଦଙ୍କୁ ମିଳୁଥିବା ସବସିଡିଯୁକ୍ତ ଖାଦ୍ୟକୁ ରୋକି ଦିଆଯାଇଛି। ସଂସଦ କ୍ୟାଣ୍ଟିନକୁ ଏବେ ଇଣ୍ଡିଆନ ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ (ଆଇଟିଡିସି) ଚଲାଇବ। ଏହାପୂର୍ବରୁ ଉତ୍ତରୀ ରେଲୱେ ଏହି ଦାୟିତ୍ୱ ତୁଲାଉଥିଲା। ସେତେବେଳେ କ୍ୟାଣ୍ଟିନରେ ଗୋଟିଏ ଥାଳିର ମୂଲ୍ୟ ୩୦ ଟଙ୍କା ଥିଲା। ଆଉ ଏବେ ସଂସଦଙ୍କୁ ଗୋଟିଏ ଥାଳିର ପୁରା ଦାମ୍ ଦେବାକୁ ପଡ଼ିବ।
ବିର୍ଲା ଆହୁରି କହିଛନ୍ତି ଯେ, ଜାନୁଆରୀ ୨୯ ତାରିଖରେ ଆରମ୍ଭ ହେବାକୁ ଥିବା ଅଧିବେସନ ପୂର୍ବରୁ ସମସ୍ତ ସାଂସଦଙ୍କୁ କରୋନା ଟେଷ୍ଟ କରାଇବାକୁ ଅନୁରୋଧ କରାଯିବ। ଜାନୁଆରୀ ୨୭-୨୮ ତାରିଖରେ ସଂସଦ ପରିସରରେ ଆରଟି-ପିସିଆର ଟେଷ୍ଟ କରାଯିବ। ସାଂସଦଙ୍କ ପରିବାର ଓ କର୍ମଚାରୀଙ୍କର ମଧ୍ୟ ଆରଟି-ପିସିଆର ଟେଷ୍ଟ କରାଇବାର ବ୍ୟବସ୍ଥା କରାଯିବ।