ଚାଷୀଙ୍କୁ ଲ୍ୟାମ୍ପ ପରିଚାଳକ ଲୋକ ଲଗାଇ ମାଡ଼ ମାରିଥିବା ଅଭିଯୋଗ

ପାଟଣା, ଏନ୍ଏନ୍ଏସ୍: ପୁଣି ଚର୍ଚ୍ଚାରେ କେନ୍ଦୁଝର ଜିଲ୍ଲା ସାହାରପଡ଼ା ଲ୍ୟାମ୍ପ । ଗତବର୍ଷରୁ ଧାନକିଣା ଦୁର୍ନୀତି ମାମଲାରେ କିଛି କର୍ମଚାରୀ ନିଲମ୍ବିତ ହୋଇ ଜେଲଦଣ୍ଡ ଭୋଗୁଥିବା ବେଳେ ଏଥର ଖୋଦ୍ ଲ୍ୟାମ୍ପ ପରିଚାଳକ ଜଣେ ଚାଷୀଙ୍କୁ ଲ୍ୟାମ୍ପ ପରିସରରେ ଲୋକ ଲଗାଇ ମାଡ଼ ମାରିଥିବା ଅଭିଯୋଗ ପାଟଣା ଥାନାରେ ହେଇଛି। ଅଭିଯୋଗ ଅନୁଯାୟୀ ପାଟଣା ଥାନା ତଳସରୁଆ ଗ୍ରାମର ବିଜୟ କୁମାର ମହାନ୍ତ ଟଭାସରୁଆ ଧାନ ମଣ୍ଡିରେ ୪୮ କ୍ୱିଣ୍ଟାଲ ୩୩ କେଜି ଧାନ ବିକ୍ରି କରିଥିଲେ ଏବଂ ସାହାରପଡା ଲ୍ୟାମ୍ପରେ ସ୍କାନ୍ କଲାପରେ ୩୮ କ୍ୱିଣ୍ଟାଲ୍ ୨୩ର ପ୍ରିଣ୍ଟ ରସିଦ ବାହାରି ଥିଲା।

ବିଜୟ କୁମାର ମହାନ୍ତ

ସେ ଏବାବଦରେ ଟଭାସରୁଆ ଧାନ ମଣ୍ଡିର ଲ୍ୟାମ୍ପ ପରିଚାଳକଙ୍କୁ ପଚାରିବାରୁ ‘ଏହା ଆମ ପାଠ, ତୁମେ ବୁଝିପାରିବ ନାହିଁ, ଲ୍ୟାମ୍ପକୁ ଆସ କଥାହେବା’ କହିଥିଲେ। ଆଜି ବିଜୟ ସାହାରପଡା ଲ୍ୟାମ୍ପ ଯାଇଥିବା ବେଳେ ଲ୍ୟାମ୍ପ ପରିଚାଳକଙ୍କ ନିର୍ଦ୍ଦେଶରେ ଦୁଇଜଣ ବିଜୟଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ମାଡ଼ ମାରିବା ସହ ଧମକ ଦେଇଥିବା ବିଜୟ ପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପାଟଣା ଥାନା ରେ କେଶ୍ ନଂ ୯/୨୧ ରେ ମାମଲା ରୁଜୁ ହୋଇଥିବା ବେଳେ ପାଟଣା ଥାନା ସବ୍ ଇନ୍ସିପେକ୍ଟର ଶିବଶଙ୍କର ଆଲଦା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।