ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ମନ୍ତ୍ରୀ ଟୁକୁନି ସାହୁ

ସଇଁନ୍ତଳା,ଏନ୍ଏନ୍ଏସ୍: ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ୍ ଗସ୍ତକରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ପ୍ରଥମେ ୨୪.୫ଲକ୍ଷ ଟଙ୍କାର ବ୍ରାହ୍ମଣୀ ଉଠା ଜଳସେଚନ ପ୍ରକଳ୍ପ ଉଦଘାଟନ କରିଥିଲେ। ଏହାପରେ ସଇଁନ୍ତଳା ଡାକ୍ତରଖାନା ଗସ୍ତ କରିଥିଲେ। ପରେ ସଇଁନ୍ତଳା ସ୍ୱାସ୍ଥ୍ୟକେନ୍ଦ୍ର ଗୃହର ଭିତ୍ତିପ୍ରସ୍ତର ସ୍ଥାପନର ଶୁଭାରମ୍ଭ କରିଥିଲେ। ଏହାପରେ ମନ୍ତ୍ରୀ ପ୍ରାୟ ୧ କିଲୋମିଟର ଚାଲିଚାଲି ଯାଇ ରେମଣ୍ଡାଠାରେ ୧.୫ କୋଟିର ପାନୀୟଜଳ ପ୍ରକଳ୍ପ ଓ ବୁଢ଼ାବାହଲ ପାନୀୟଜଳ ପ୍ରକଳ୍ପର ଉଦଘାଟନ କରିଥିଲେ। ସେଠୁ ବାହାରି ବୁଢ଼ାବାହଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମଧ୍ୟ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବର୍ଦ୍ଧନ ପୁରୋହିତ, ରାଜ କିଶୋର ଡାଙ୍ଗ, ରାଜେଶ ବେହେରା, ସଇଁନ୍ତଳା ବିଡ଼ିଓ ଦେବାଶିଷ ସାମଲ, ବୁଲୁ ବେହେରା, ସୁଜିତ ଡାଙ୍ଗ, ଲୁନ୍ଦ୍ର ବେହେରା, କନିଷ୍ଠ ଯନ୍ତ୍ରୀ ହେମନ୍ଦ୍ର ମଲ୍ଲିକ, ପରିମଳ ପାନୀୟଜଳ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଭାତ ସେଠୀ, ସୁବାସ ବୁଡେକ, ବିଜେଡି ସଇଁନ୍ତଳା ବ୍ଲକ ସଭାପତି ଦିଲ୍ଲୀପ ରାଜପଲିଆ, ବୁଡ଼ାବାହାଲ ସରପଞ୍ଚ କପିଳ ଭୋଇ, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ସାହୁ ଏବଂ ଆଲୋକ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ।