ଆସନ୍ତାକାଲିଠାରୁ ଆରମ୍ଭ ହେବ ଟିକାକରଣ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଗଡ଼ା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୩୨ଶହ ଡୋଜ କରୋନା ଟିକା ପହଞ୍ଚିବା ପରେ ତାକୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ଭ୍ୟାକ୍ସିନ ଷ୍ଟୋରରେ ସୁରକ୍ଷିତ ଭାବରେ ରଖାଯାଇଛି। ଆସନ୍ତାକାଲିଠାରୁ ମୁଖ୍ୟ ଚିକିତ୍ସାଳୟ, ବ୍ରଜାରନଗର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର, ପଞ୍ଚପଡା ପ୍ରଥାମିକ ଚିକିତ୍ସାଳୟ ଏବଂ ବେଲପାହାଡର ଟିଆରଏଲ କ୍ରୋସାକି ହସ୍ପିଟାଲରେ ଟିକାକରଣ ଆରମ୍ଭ ହେବ। ଏନେଇ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ବ୍ରଜରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବେଲପାହାଡ ଟିଆରଏଲ ମେଡିକାଲରେ ଆବଶ୍ୟକ ପରିମାଣର ଟିକା ପହଞ୍ଚିଛି। ସେହିପରି ଆସନ୍ତାକାଲି ସକାଳେ ପଞ୍ଚପାଡାକୁ ମଧ୍ୟ ଆବଶ୍ୟକ ପରିମାଣର ଟିକା ପହଞ୍ଚାଇ ଦିଆଯିବ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତାକାଲି ଜିଲ୍ଲାର ଚାରୋଟିଯାକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ଏକା ସାଙ୍ଗରେ ଆରମ୍ଭ ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ଲାଲାମୋହନ ରାଉତରାୟ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏହି କେନ୍ଦ୍ରଗୁଡିକରେ ପ୍ରତିଦିନ ୧୦୦ଟି ଲେଖାଏଁ ଟିକା ପ୍ରଦାନ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।

ପ୍ରକାଶଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ, ଅଙ୍ଗନବାଡିକର୍ମୀ, ଆଶାକର୍ମୀ ପରି ସମ୍ମୁଖ ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯିବ। ପରେ ଜିଲ୍ଲାରେ ୨୧ଟି ସ୍ଥାନରେ ଭ୍ୟାକ୍ସିନେସନ ପଏଣ୍ଟ ତିଆରି କରି କରୋନା ଟିକା ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ। ପ୍ରଥମେ ଜିଲ୍ଲାର ୪୮୧୭ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି, ଆଶକର୍ମୀଙ୍କୁ ଟିକା ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରେ ଷ୍ଟାଫ ୩୮୧୯ ସରକରୀ ଷ୍ଟାଫ ରହିଥିବାବେଳେ ୯୪୮ ଘରୋଇ ହେଲ୍ଥ ୱାର୍କର ରହିଛନ୍ତି। ତେବେ ଆଗମୀ ଦିନରେ ସରକାରଙ୍କ ଯୋଜନା ଅନୁସାରେ ଅନ୍ୟମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି।