ବରଗଡ଼,ଏନ୍ଏନ୍ଏସ୍: ମହିଳାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇ ଆସୁଥିବାବେଳେ ଏଥିଲାଗି ବିଭିନ୍ନ ଯୋଜନା ପ୍ରଣୟନ କରି ଆସୁଛନ୍ତି। ଏଥି ମଧ୍ୟରେ ନିର୍ଭୟା ଯୋଜନା ଅନ୍ୟତମ। ଏହି ଯୋଜନା ଜରିଆରେ ଶୁକ୍ରବାର ବରଗଡ଼ ଜିଲ୍ଲା ପୁଲିସକୁ ୧୬ଟି ହିରୋ ପ୍ଲେଜର ପ୍ଲସ ସ୍କୁଟି ମିଳିଛି। ରାସ୍ତାରେ ଯାତାୟାତ କରୁଥିବା ସମୟରେ ଯଦି କୌଣସି ମହିଳା ନିଜକୁ ଅସୁରକ୍ଷିତ ମଣନ୍ତି ତେବେ ସହାୟତା ପାଇଁ ୧୧୨ରେ ଫୋନ୍ କଲେ ନିକଟସ୍ଥ ଥାନାରୁ ତୁରନ୍ତ ଜଣେ ମହିଳା ପୁଲିସ ଏହି ହିରୋ ସ୍କୁଟରରେ ସେଠାରେ ପହଞ୍ଚି ସେମାନଙ୍କୁ ସୁରକ୍ଷା ବା ସହାୟତା ଯୋଗାଇବେ ବୋଲି ବରଗଡ଼ ପୁଲିସ୍ ଆରକ୍ଷୀ ଅଧୀକ୍ଷକା ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି। ଏହି ନିର୍ଭୟା ଯୋଜନାରେ ସରକାରଙ୍କ ପକ୍ଷରୁ ରାଜ୍ୟ ପୁଲିସକୁ ୫୦୦ଟି ହିରୋ ପ୍ଲେଜର ପ୍ଲସ ଯୋଗାଇ ଦିଆଯାଇଥିବାବେଳେ ବରଗଡ଼ ଜିଲ୍ଲାକୁ ମିଳିଛି ୧୬ଟି ଗାଡ଼ି। ଏହି ଗାଡ଼ି ସବୁକୁ ଆଜି ଆକାଶ ମୋଟର୍ସ ପକ୍ଷରୁ ବରଗଡ଼ ଗୋବିନ୍ଦପୁରସ୍ଥିତ ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବରଗଡ଼ ଏସପି ପଦ୍ମିନୀ ସାହୁଙ୍କୁ ହସ୍ତାନ୍ତର କରାଯାଇଛି। ବିଶ୍ୱର ନଂ.୧ ମୋଟର ସାଇକେଲ ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପ ଉପରେ ରାଜ୍ୟ ସରକାର ଭରସା କରି ମହିଳାଙ୍କ ସୁରକ୍ଷା ପାଇଁ ପ୍ଲେଜର ପ୍ଲସକୁ ବାଛିଥିବାରୁ ଆକାଶ ହିରୋର ମ୍ୟାନେଜର ବସନ୍ତ କୁମାର ସାହୁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।