ପକ୍ଷୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ହୀରାକୁଦ ଜଳଭଣ୍ଡରକୁ ପ୍ରତିବର୍ଷ ଶୀତଦିନେ ଆସୁଥିବା ବିଦେଶୀ ଅତିଥି ପକ୍ଷୀ ଏବଂ ସ୍ଥାନୀୟ ପକ୍ଷୀଙ୍କ ସୁରକ୍ଷା ପାଇଁ ତିଲିଆ ପଞ୍ଚାୟତରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବନବିଭାଗ ଓ ତିଲିଆର ସଚେତନ ନାଗରିକଙ୍କ ମିଳିତ ଆନୁକୂଲ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟଲୋକେ କିପରି ପକ୍ଷୀଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିପାରିବେ ସେନେଇ ଆଲୋଚନା ହୋଇଥିଲା। ଅନେକ ସମୟରେ ହୀରକୁଦ ଜଳଭଣ୍ଡାରରୁ ଶିକାରୀମାନେ ପକ୍ଷୀ ଶିକାର କରୁଛନ୍ତି। ବିଶେଷ କରି ବିଦେଶାଗତ ପକ୍ଷୀ ଅଧିକ ମୂଲ୍ୟରେ ବିକ୍ରି ହେଉଥିବାରୁ ଶିକାରୀମାନେ ବିଦେଶୀ ପକ୍ଷୀଙ୍କୁ ଟାର୍ଗେଟ କରୁଛନ୍ତି। ତେଣୁ ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ବିଦେଶୀ ପକ୍ଷୀ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇ ପଡୁଛନ୍ତି। ଫଳରେ ଏମାନଙ୍କ ବଂଶ ଲୋପ ପାଇବାର ଆଶଙ୍କା ରହିଛି।

ତେଣୁ ବନବିଭାଗ ଓ ସ୍ଥାନୀୟ ଲୋକେ ଏହି ପକ୍ଷୀ ଶିକାରକୁ ରୋକିବା ସହ ଲୋକଙ୍କୁ ପକ୍ଷୀ ଶିକାର ନକରିବା ପାଇଁ ସଚେତନ କରିବା ପାଇଁ ଶପଥଗ୍ରହଣ କରିଛନ୍ତି । ଏହି ଅବସରରେ ବ୍ରଜରାଜନଗର ରେଞ୍ଜ ଅଧିକାରୀ ଆରତୀ ନେଗୀ, ବ୍ରଜରାଜନଗର ବନପାଳ, ବନ୍ଧବାହାଲ ବନପାଳଙ୍କସହ ଅନ୍ୟାନ୍ୟ କର୍ମଚାରୀଙ୍କ ଓ ତିଲିଆ ସରପଞ୍ଚ ଠଣସୁନ୍ଦର ସାହୁ, ବରଗଡ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ରଘୁନନ୍ଦନ ପଣ୍ଡା, ସଚେତନନାଗରିକ ବୀରକିଶୋର ମାଝୀ, ପ୍ରେମାନନ୍ଦ ପାଣ୍ଡେ, ଲିଙ୍ଗରାଜ ବଢ଼େଇ, ମୁରଲୀଧର ପଧାନ ପ୍ରମୁଖ ଉପସ୍ଥିତ ଥିଲେ।