ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ସୁରକ୍ଷାକର୍ମୀ ନଥିବା ସ୍ଥାନରେ ସେମାନେ ତାଙ୍କ ଉପସ୍ଥିତି ବିଭିନ୍ନ ସମୟରେ ଜାହିର କରି ଆସୁଛନ୍ତି। ବର୍ତ୍ତମାନ ଜିଲ୍ଲାର କାଲିମେଳା, ଏମଭି-୭୯, ମୋଟୁ, ପଡ଼ିଆ, ବାଲିମେଳା, ଚିତ୍ରକୋଣ୍ଡାର କିଛି ଅଞ୍ଚଳ ସମେତ ମାଥିଲିର ବହୁ ଅଞ୍ଚଳରୁ ସେମାନଙ୍କ ସ୍ଥିତି ପ୍ରାୟତଃ ହ୍ରାସ ପାଇଥିବାବେଳେ ସ୍ୱାଭିମାନ ଅଞ୍ଚଳର କିଛି ଅଞ୍ଚଳରେ ସେମାନଙ୍କର କବଜା ରହିଛି। ତେବେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ୱାଭିମାନ ଅଞ୍ଚଳର ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ସୁରକ୍ଷାକର୍ମୀମାନେ କ୍ୟାମ୍ପ ସ୍ଥାପନ କରି ନିଜ ଅକ୍ତିଆରକୁ ନେବାରେ ଲାଗିଛନ୍ତି। ଫଳସ୍ୱରୂପ ବିଗତ ବର୍ଷମାନଙ୍କ ଅପେକ୍ଷା ମାଓ ହିଂସା ହ୍ରାସ ପାଉଛି। ତେବେ ବର୍ତ୍ତମାନ ସ୍ୱାଭିମାନ ଅଞ୍ଚଳର ଓରାପଦର ଲଞ୍ଚ ଘାଟରେ ମାଓବାଦୀମାନେ ଏକ ଲାଲ ରଙ୍ଗର ବିଶ୍ରାମାଗାର ନିର୍ମାଣ କରିଥିବା ଚିତ୍ର ପଦାକୁ ଆସିଛି। ଏହା ମାଓବାଦୀଙ୍କ ବିଶ୍ରାମାଗାର ବୋଲି ଲେଖାଯାଇଛି। ଏଥିରେ ମୃତ ମାଓବାଦୀ ମୀନା, ରାକେଶ ଓ ଆଡମାଙ୍କ ନାମ ମଧ୍ୟ ଲେଖାଯାଇଥିବାରୁ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିବା ସନ୍ଦେହ କରାଯାଉଛି। ପୂର୍ବରୁ ସ୍ୱାଭିମାନ ଅଞ୍ଚଳର ଗୋରାସେତୁ ଓ ଯୋଡ଼ାମ୍ବରେ ମାଓବାଦୀମାନେ ଏଭଳି ଲାଲ କୋଠା ନିର୍ମାଣ କରିଥିବାବେଳେ ପୁଲିସ ସେଗୁଡ଼ିକୁ ନିଜ କବଜାକୁ ନେଇ ବ୍ୟବହାର କରୁଛି। ତେବେ ଲାଲଗଡ଼ରେ ଏଭଳି ଆଉ କେତୋଟି କୋଠା ର୍ନିମାଣ ହୋଇଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।