ଭିନ୍ନ ମୋଡ଼ ନେଲା ଅଜିତ ସାଙ୍କ ମୃତ୍ୟୁ ମାମଲା : ପରିବାରକୁ ମିଳୁଛି ହତ୍ୟା ଧମକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ଆଇଁଲାପାଲି ଗ୍ରାମର ଅଜିତ ସାଙ୍କ ମତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି। ଅଜିତକୁ ନ୍ୟାୟ ଦେବା ପାଇଁ ଆଇନଗତ ଲଢ଼େଇ ଜାରି ରଖିଥିବା ତାଙ୍କ ଭଉଣୀ ବିଶାଖା ସା ଓ ପରିବାରବର୍ଗଙ୍କୁ ହତ୍ୟା ଧମକ ମିଳିଥିବା ବିଶାଖା ବନହରପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଶାଖା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଭାଇର ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୁକ୍ତର ବଡ଼ ଭାଇ ତାଙ୍କୁ ଏହି ହତ୍ୟା ଧମକ ଦେଇଛନ୍ତି। ବିଶାଖାଙ୍କ ଅଭିଯୋଗ ଆଧାରରେ ବନହରପାଲି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପ୍ରକାଶଯୋଗ୍ୟ, ୨୦୨୦ ମସିହା ଅଗଷ୍ଟ ୨୪ ତାରିଖ ଆଇଁଲାପାଲି ଗ୍ରାମରେ ପୋଖରୀ ଭିତରୁ ଅଜିତ ସାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିଲା। ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା। ହେଲେ ଅଜିତର ଅପମୃତ୍ୟୁ ହୋଇନାହିଁ ବରଂ ତାକୁ ହତ୍ୟା କରି ଗ୍ରାମ ପୋଖରୀର ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ କରି ତାଙ୍କ ଭଉଣୀ ବିଶାଖା ଦୀର୍ଘଦିନ ହେବ ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଦାବି କରିଛନ୍ତି। ଏହାସହ ଗତ ୪ ତାରିଖରେ ସେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ଅଜିତ ସା ମୃତ୍ୟୁ ମାମଲାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ। ପରେ ଜିଲ୍ଲା ଆରକ୍ଷୀ ଅଧିକାରୀ ବିକାଶ ଚନ୍ଦ୍ର ଦାସ ଅଜିତ ସା ମୃତ୍ୟୁ ମାମଲାର ସମସ୍ତ ରିପୋର୍ଟ ୧୦ ଦିନ ମଧ୍ୟରେ ପ୍ରଦାନ କରିବା ପାଇଁ କୁମ୍ଭାର ଫାଣ୍ଡି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏସପି ପୁଣିଥରେ ଅଜିତ ସା ମୃତ୍ୟୁ ମାମଲାକୁ ତଦନ୍ତକୁ ଆଣିବାରୁ ତାଙ୍କୁ ଓ ପରିବାରବର୍ଗଙ୍କୁ ହତ୍ୟା ଧମକ ଦିଆଯାଇଥିବା ବିଶାଖା ଅଭିଯୋଗ କରିଛନ୍ତି।