ମକରଧ୍ୱଜ ଗିରିଶୃଙ୍ଗରେ ମକରମେଳା

ଦେବଗଡ଼, ଏନ୍ଏନ୍ଏସ୍: ମାନବ ସମାଜ ଭଗବାନଙ୍କର ଆଶିଷ ପାଇବା ପାଇଁ ହ୍ରଦ ହେଉକି ଦୁର୍ଗମ ପର୍ବତ ଅତିକ୍ରମ କରିବାକୁ ପଛାଇନଥାନ୍ତି। ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ସଦର ମହକୁମାକୁ ଲାଗି ରହିଥିବା ପ୍ରଧାନପାଟ ପର୍ବତର ମକର ଧ୍ୱଜ ଶୃଙ୍ଗରେ। ଚଳିତବର୍ଷ ମକର ସଂକ୍ରାନ୍ତି ଅବସରରେ ସ୍ଥାନୀୟ ତଅଁଳା ସାହି ଏବଂ ହାତୀଶାଳ ସାହିର ମକରଧ୍ୱଜ କମିଟି ପକ୍ଷରୁ ପ୍ରଧାନପାଟ ପର୍ବତମାଳାର ଉଚ୍ଚତମ ମକରଧ୍ୱଜ ପର୍ବତ ଶୃଙ୍ଗରେ ଆୟୋଜିତ ହୋଇଥାଏ ମକରମେଳା। ପ୍ରାୟ ତିନ ଶହ ମିଟର ଉଚ୍ଚରେ ଥିବା ଏହି ପର୍ବତ ଶୃଙ୍ଗରେ ପୂଜା ପାଇଥାନ୍ତି ଶିବଶକ୍ତି । ଏହି ପର୍ବତ ଶୃଙ୍ଗକୁ ଯିବା ପାଇଁ ପ୍ରାୟ ୨ରୁ ୩ କି.ମି ରାସ୍ତା ଅତି ଜଟିଳ ଓ ଦୁର୍ଗମ ପଥଦେଇ ଯିବାକୁ ହୁଏ। ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି ମକରଧ୍ୱଜ ବାବାଙ୍କ ପାଖରେ ରଖାଯାଉଥିବା ମନୋସ୍କାମନା ନିଶ୍ଚୟ ପୂରଣ ହୋଇଥାଏ। ସେହିପରି ବର୍ଷସାରା ଭଲରେ କଟିବା ପରେ ମକର ସଂକ୍ରାନ୍ତି ଦିନ ବାବାଙ୍କ ଠାରୁ ମକର ଚାଉଳ ତଥା ଆଜ୍ଞାମାଳ ଆଣି ସାହିରେ ଏହି ପର୍ବକୁ ଧୁମଧାମରେ ପାଳନ କରିଥାନ୍ତି। ପ୍ରତିବର୍ଷ ଏଠାରେ ହଜାରେ ଲୋକଙ୍କ ଭିଡ ପରିଲକ୍ଷିତ ହେଉଛି।