୪ ମାସର ଶିଶୁପୁତ୍ରକୁ ବିକି ପିତାର ଅତ୍ମହତ୍ୟା ଘଟଣା: କୁଡୁମୁଲୁଗୁମ୍ମାରୁ ଶିଶୁ ଉଦ୍ଧାର

ମାଲକାନଗିରି,ଏନ୍ଏନ୍ଏସ୍: ଗତ ଏକ ସପ୍ତାହ ତଳେ ଚାରିମାସର ଶିଶୁୁପୁତ୍ରକୁ ବିକ୍ରି କରି ବାପା ଆତ୍ମହତ୍ୟା କରିଥିବା ଘଟଣାରେ ଶିଶୁପୁତ୍ରକୁ ଆଜି ଜିଲ୍ଲା ପ୍ରଶାସନ ଉଦ୍ଧାର କରିଛି। ତେବେ ଉକ୍ତ ଶିଶୁପୁତ୍ର କାହାକୁ ବିକ୍ରି କରା ଯାଇଛି ଓ କେଉଁ ଗ୍ରାମରେ ଅଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନଥିଲା। ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଆଜି ଶିଶୁ ପୁତ୍ର ସମ୍ପର୍କରେ ଜଣାପଡ଼ିଥିଲା। ଉକ୍ତ ଶିଶୁ ପୁତ୍ରଟି କୁଡୁମୁଲୁଗୁମ୍ମା ହାଟପଦାର ବନମାଳି ଖିଲଙ୍କ ନିକଟରେ ଥିବା ଖବର ପାଇ ସେଠାରୁ ଉଦ୍ଧାର କରାଯାଇଛି। କୁଡୁମୁଲୁଗୁମ୍ମା ତହସିଲଦାର ବିଜୟ କୁମାର ମାଣ୍ଡାଙ୍ଗିଙ୍କ ନେତୃତ୍ୱରେ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଓ ଚାଇଲ୍ଡଲାଇନ କର୍ମକର୍ତ୍ତାମାନେ ଉଦ୍ଧାର କରିଛନ୍ତି। ବର୍ତ୍ତମାନ ଉକ୍ତ ଶିଶୁର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି। ଶିଶୁର ଚିକିତ୍ସା ପରେ ତାଙ୍କୁ କୋରାପୁଟ ଶିଶୁ ସୁରକ୍ଷା ଗୃହରେ ରଖାଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଉକ୍ତ ଶିଶୁର ପିତା ତାଙ୍କୁ ହଜାରେ ଟଙ୍କା ମାଗିଥିଲେ ଓ ସେ ଶିଶୁଟିକୁ ନିଜ ପୁଅ ଭଳି ଲାଳନପାଳନ କରୁଥିଲେ ବୋଲି ଶ୍ରୀ ଖିଲ କହିଛନ୍ତି।