ମୟୂରଭଞ୍ଜରେ ପହଞ୍ଚିଲା ୧୧, ୯୦୦ ଡୋଜ୍

ବାରିପଦା, ଏନ୍ଏନ୍ଏସ୍: ପ୍ରତୀକ୍ଷାର ଅନ୍ତ ଘଟିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ସନ୍ଧ୍ୟାରେ ଆସି ପହଞ୍ଚିଛି କରୋନା ଟିକା। ସିଡିଏମଓ ଡ. ରୂପଭାନୁ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଟିକା ନେଇ ଆସିଥିବା ଗାଡିକୁ ସ୍ୱାଗତ କରାଯାଇଥିଲା। ପ୍ରଥମ ଦଫାରେ ଜିଲ୍ଲାକୁ ୧୧ହଜାର ୯୦୦ ଡୋଜ୍ ଟିକା ଆସିଛି। ପ୍ରଥମ ପର୍ୟ୍ୟାୟରେ ଜିଲ୍ଲାର ତିନି ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ସମେତ ପିଆରଏମ୍ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ, ବିଜାତଳା, ଠାକୁରମୁଣ୍ଡା, ଯଶୀପୁର, କପ୍ତିପଦା, ଉଦଳା ପ୍ରଥାମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଦେବେନ୍ଦପୁର ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଭଳି ୧୦ଟି ପ୍ରମୁଖ ସ୍ଥାନରେ ଟିକାକରଣ କରାଯିବା ନିମନ୍ତେ ସ୍ଥିର ହୋଇଛି। ଚଳିତମାସ ୧୬ ତାରିଖ ଦିନ ଜିଲ୍ଲାରୁ ଟିକାକରଣ ଆରମ୍ଭ ହେବ। ପ୍ରଥମ ଦିନରେ ଏହି ୧୦ଟି ସ୍ଥାନରେ ୧୦୦ ଜଣ କରି ଏକ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବାନେଇ ସିଡିଏମଓ ଡ. ରୂପଭାନୁ ମିଶ୍ର ସୂଚନା ଦେଇଛନ୍ତି। ଜିଲ୍ଲାରେ ପ୍ରଥମ ପର୍ୟ୍ୟାୟରେ ଟିକାକରଣ ନିମନ୍ତେ ୧୮ହଜାର ୪୨୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଚିହ୍ନଟ କରାଯାଇଛି। ଆଜି ଜିଲ୍ଲାକୁ ଆସିଥିବା ଟିକାକୁ ଜିଲ୍ଲା ଟିକା ଭଣ୍ଡାରରେ ସଂରକ୍ଷିତ କରି ରଖାଯାଇଛି।