ଗୁଆହାଟି,ଏଜେନ୍ସି: ନିକଟରେ ଆସାମ କଂଗ୍ରେସର ଦୁଇ ବିଧାୟକ ଇସ୍ତଫା ଦେଇଛନ୍ତି। ଫଳରେ ବିରୋଧୀ ଦଳର ନେତା ପାଇଁ ଆବଶ୍ୟକ ଥିବା ବିଧାୟକ ସଂଖ୍ୟା ହ୍ରାସ ପାଇଛି। ତେଣୁ ବିରୋଧୀ ଦଳର ନେତା ପଦ ହରାଇଛନ୍ତି ଦେବବ୍ରତ ସୌକିଆ। ଆସାମ ବିଧାନସଭାର ସଚିବ ଏନେଇ ସୂଚନା ଦେଇଛନ୍ତି। ଦୁଇ ବିଧାୟକ ଇସ୍ତଫା ଦେବା ପରେ କଂଗ୍ରେସର ବିଧାୟକ ସଂଖ୍ୟା ୨୦ରେ ପହଞ୍ଚିଥିବା ସଚିବ କହିଛନ୍ତି।
ଆସାମର ୧୨୬ ବିଧାନସଭା ଆସନରୁ କଂଗ୍ରେସ ୨୬ଟି ଆସନ ଜିତିଥିଲା। କିନ୍ତୁ ଜଣଙ୍କ ପରେ ଜଣେ ବିଧାୟକ ଇସ୍ତଫା ଦେବା, ଦୁଇ ବିଧାୟକଙ୍କ ଦେହାନ୍ତ ପରେ ଏବଂ ଉପ-ନିର୍ବାଚନରେ ପରାଜୟ ପରେ ଦଳର ବିଧାୟକ ସଂଖ୍ୟା ୨୨ରେ ପହଞ୍ଚିଥିଲା। ବିରୋଧୀ ଦଳର ନେତା ପାଇଁ ମୋଟ୍ ୧୨୬ ଆସନରୁ ସର୍ବନିମ୍ନ ୨୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଗତବର୍ଷ କଂଗ୍ରେସ ବିଧାୟକ ପ୍ରଣବ କୁମାର ଗୋଗୋଇ ଏବଂ ତରୁଣ ଗୋଗୋଇଙ୍କର ଦେହାନ୍ତ ହୋଇଥିଲା। ସେହିପରି ଚଳିତ ବର୍ଷ ଆରମ୍ଭରୁ ଦୁଇ କଂଗ୍ରେସ ବିଧାୟକ ଅଜନ୍ତା ନେଗ ଏବଂ ରାଜଦୀପ ଗୋଲା ବିଜେପିରେ ସାମିଲ୍ ହୋଇଛନ୍ତି। ଫଳରେ ଦଳରେ ବିଧାୟକଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି।