ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମୋ ଭାଇ ପାଣିରେ ବୁଡି ମରିନାହିଁ। ତାକୁ ହତ୍ୟାକରି ଗ୍ରାମ ପୋଖରୀରେ ଫିଙ୍ଗି ଦିଆଯାଇଛି। ହେଲେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି କେଶ୍ କୁ ରଫାଦଫା କରି ଦେଇଛି। ହେଲେ ମୋ ଲଢେଇ ଶେଷ ହୋଇନାହିଁ। ମୋ ଭାଇକୁ ନ୍ୟାୟ ଦେବାପାଇଁ ବଞ୍ଚିଥିବା ଯାଏଁ ମୁଁ ଲଢେଇ କରିବି। ଭାଇର ହତ୍ୟାକରୀଙ୍କୁ ଗିରଫ କରି ତାକୁ ଜିଲ୍ଲା ପୁଲିସ ନ୍ୟାୟ ପ୍ରଦାନକରୁ। ଏମିତି ଏକ ଦାବିନେଇ କୁମ୍ଭାରବନ୍ଦ ଫାଣ୍ଡି ଅନ୍ତର୍ଗତ ଅଇଁଲାପାଲି ଗ୍ରାମର ବିଶାଖା ସା’ ଝାରସୁଗୁଡା ଜିଲ୍ଲା ଏସପିଙ୍କ ଦ୍ୱାରସ୍ତ ହୋଇଛନ୍ତି।
ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସାନ ଭାଇ ଅଜିତ ସା’ଙ୍କୁ ଗତ ୨୦୨୦ ମସିହା ଅଗଷ୍ଟ ୨୩ ତାରିଖ ଦିନ ଗ୍ରାମର ୨ ଜଣ ଯୁବକ ଓ କୁମ୍ଭାରବନ୍ଧର ଜଣେ ଯୁବକ ହତ୍ୟାକରି ଗ୍ରାମ ପୋଖରୀରେ ଫିଙ୍ଗି ଦେଇଥିଲେ। ପରିବାର ଲୋକେ ଖୋଜାଖୋଜି କରି ଅଜିତକୁ ନପାଇ କୁମ୍ଭାରବନ୍ଧ ଫାଣ୍ଡିରେ ନିଖୋଜ ଅଭିଯୋଗ କରିଥିଲେ। ଏହାସହ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ପୁଲିସ ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚୁରା କରିବାପରେ ଗତ ଅଗଷ୍ଟ ୨୪ ତାରିଖ ପୋଖରୀ ଭିତରୁ ଅଜିତର ମୃତଦେହ ଉଦ୍ଧାର କରିଥିଲା। ଏହାପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା। ହେଲେ ଏହି ମାମଲାକୁ ବହୁ ଦିନ ହୋଇଯାଇଥିଲେ ହେଁ ପୁଲିସ ଅଜିତର ମୃତ୍ୟୁକୁ ଅଘଟଣ ଦର୍ଶାଇ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।