ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କ୍ରମାଗତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ୧୬ ହଜାର ୫୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୪୦ ହଜାର ୪୭୦ରେ ପହଞ୍ଚିଛି।
ସେହିପରି ଗତ ୨୪ ଘଣ୍ଟାରେ ସାରା ଦେଶରେ ୨୧୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୯ ହଜାର ୬୪୯କୁ ବୃଦ୍ଧି ପାଇଛି। ଏଥିସହିତ ଦେଶରେ ମୃତ୍ୟୁ ହାର ୧.୪୫ ପ୍ରତିଶତ ରହିଛି। ମିଳିଥିବା ସୂଚନା ଅନୁସାରେ, ଦୈନିକ ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥ ହାର ଅଧିକ ରହିଛି। ଦେଶରେ ସୁସ୍ଥ ହାର ୯୬.୧୯ ପ୍ରତିଶତ ରହିଥିବାବେଳେ ଦିନକରେ ୧୯ ହଜାର ୫୫୭ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କରୋନାରୁ ୯୯ ଲକ୍ଷ ୪୬ ହଜାର ୮୬୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି।