ଶ୍ମଶାନ ଘାଟ ଛାତ ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୨୫ ଛୁଇଁଲା, ୨୦ରୁ ଉର୍ଦ୍ଧ୍ଵ ଗୁରୁତର

ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତରପ୍ରଦେଶର ଗାଜିଆବାଦର ମୁରାଦନଗରର ଏକ ଶ୍ମଶାନରେ ଗତକାଲି ଏକ ଆଶ୍ରୟସ୍ଥଳୀର ଛାତ ଭୁଶୁଡିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କର ମୃତ୍ୟୁ ହେଲାଣି। ସେହିପରି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦାହ ସଂସ୍କାର ପାଇଁ ଆସିଥିବା ଜଣେ ମୃତକଙ୍କ ପରିବାର ଓ ସମ୍ପର୍କୀୟ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଏନଡିଆରଏଫ ଓ ସ୍ଥାନୀୟ ପୁଲିସ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିବାରୁ ଅନେକ ଆହତଙ୍କ ଜୀବନ ବଞ୍ଚିଯାଇଛି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏବଂ ଉଦ୍ଧାରକାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅପରପକ୍ଷରେ ଭ୍ରଷ୍ଟାଚାର ଅଭିଯୋଗରେ ଏହି ଆଶ୍ରୟସ୍ଥଳୀର ନିର୍ମାଣ କରିଥିବା ଠିକାଦାର ଅଜୟ ତ୍ୟାଗୀ, ନଗରପାଳିକାର କାର୍ଯ୍ୟପାଳନ ଅଧିକାରୀ ନିହାରିକା ସିଂହଙ୍କ ସମେତ ଜୁନିଅର ଇଞ୍ଜିନିୟର ଚନ୍ଦ୍ରପାଲ, ସୁପରଭାଇଜର ଆଶିଷଙ୍କ ସମେତ ଅନ୍ୟ କେତେ ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି। ତେବେ ଏପର୍ଯ୍ୟନ୍ତ କେହି ଗିରଫ ହୋଇନଥିବା ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, ମୁରାଦାବାଦରେ ହୋଇଥିବା ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣାର ଖବର ଅତ୍ୟନ୍ତ ଦୁଃଖଦାୟକ। ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଏହି ଦୁର୍ଘଟଣାରେ ମୃତ ଘୋଷିତ ହୋଇଥିବା ପରିବାର ପ୍ରତି ଗଭୀର ସମବେଦନା, ଏହା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

ସୂଚନାନୁଯାୟୀ, ଜୟରାମ ନାମକ ଜଣେ ବ୍ୟକ୍ତିଙ୍କର ଶନିବାର ଦିନ ମୃତ୍ୟୁ ହୋଇଥିଲା। ଜୟରାମଙ୍କ ଅନ୍ତ୍ୟେଷ୍ଟି ପାଇଁ ପରିବାର ସମେତ ବହୁ ସମ୍ପର୍କୀୟ ଶ୍ମଶାନ ଘାଟ ପହଞ୍ଚିଥିଲେ। ଅନ୍ତ୍ୟେଷ୍ଟି ସମୟରେ ବର୍ଷା ହେବାରୁ ସମସ୍ତେ ଶ୍ମଶାନରେ ଥିବା ଆଶ୍ରୟସ୍ଥଳକୁ ଚାଲିଆସିଥିଲେ। ଏହି ସମୟରେ ଛାତ ଭୁଶୁଡି ପଡିଥିଲା।